ବିଶ୍ୱସ୍ତରରେ ଭାରତ ଉପରେ ବିଶ୍ୱାସ ବଢ଼ିଛି: ଧର୍ମେନ୍ଦ୍ର

ଭୁବନେଶ୍ବର, ୫।୭(ସୁନିତ୍‌ ମିଶ୍ର): ବର୍ତ୍ତମାନ ସମୟରେ ଭାରତ ଉପରେ ବିଶ୍ୱର ଭରସା ବଢୁଥିବା ବେଳେ ଦେଶର ଘରେ ଘରେ କୁଶଳୀ ମା’ ଭଉଣୀମାନେ ପ୍ରସ୍ତୁତ କରୁଥିବା ସିଲେଇ ଓ ଅନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ଷ୍ଟେକ୍‌ହୋଲ୍‌ଡର ମାନଙ୍କୁ ଉଦ୍ୟମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ କରିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀଠାରେ ‘ସୋସିଆଲ ଏଣ୍ଟରପ୍ରାଇଜ୍‌ କନ୍‌କ୍ଲେଭ’ର ଶୁଭାରମ୍ଭ କରିବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ ମ୍ୟାନେଜମେଣ୍ଟ ଆନନ୍ଦ(ଆଇଆର୍‌ଏମ୍‌ଏ) ଓ ଏଲ୍‌ଆଇସି ହାଉସିଂ ଫାଇନାନ୍ସର ମିଳିତ ଭାଗୀଦାରିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅମୃତ କାଳରେ ଭାରତ ନୂଆ ଦିଶା ଓ ଦୃଷ୍ଟିକୋଣ ରଖିଛି। ବିଶ୍ୱସ୍ତରରେ ଭାରତ ଉପରେ ବିଶ୍ୱାସ ବଢ଼ିଛି। ଆମକୁ ଏବେ ଆମର ପାରମ୍ପରିକ ସାମଗ୍ରୀକୁ ବୈଶ୍ୱିକ ବଜାରରେ ଯୋଡ଼ିବାର ଉପାୟ ଅନ୍ବେଷଣ କରିବାକୁ ହେବ। ଦେଶରେ ପ୍ରଶିକ୍ଷଣ ପାଇ ଘରେ ମାଆ ଓ ଭଉଣୀମାନେ ପ୍ରସ୍ତୁତ କରିଥିବା ସିଲେଇ କିମ୍ବା ଅନ୍ୟାନ୍ୟ ଡିଜାଇନକୁ ବିଶ୍ୱ ବଜାରରେ ଆଣିବା ଆବଶ୍ୟକ। ଏଥିପାଇଁ ଏହା ଉପରେ ଉଦ୍ୟମ କରିବା ଦରକାର। ଆଗାମୀ ଦିନରେ ଦେଶ ଦ୍ରୁତଗତିରେ ଅଭିବୃଦ୍ଧି କରିବ। ଭାରତ ବର୍ତ୍ତମାନ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନ ବଢୁଛି। ଏଭଳି ସମୟରେ ସୋସିଆଲ ଏଣ୍ଟରପ୍ରାଇଜ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ଅଛି। ତାହାକୁ ଦୃଷ୍ଟିରେ ରଖି ସରକାରୀ ଫଣ୍ଡ୍‌ ଉପରେ ନିର୍ଭର ନ ହୋଇ ନିବେଶକଙ୍କ ପ୍ରତି ସଚ୍ଚୋଟପଣ ଦେଖାଇବାକୁ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି, ୟୁରୋପୀୟ ଓ ଭାରତୀୟ ବିଚାରଧାରାର ମୂଳ ଅନ୍ତର ରହିଛି। ୟୁରୋପୀୟ ବିଚାର ‘ମୁଁ’, ମୋର ଦୁନିଆ, ମୋର ଆଇଡିଆକୁ ଦର୍ଶାଉଥିବା ବେଳେ ଭାରତ ‘ଆମେ’ରେ ବିଶ୍ୱାସକରେ। ଏହିଭଳି ଭାବେ ଦୁନିଆ ସାମ୍ନାରେ ଅନ୍ୟମାନଙ୍କ ପାଇଁ ବଞ୍ଚିବାର ମଡେଲ ବନାଇବା ପାଇଁ ଉପସ୍ଥିତ ସୋସିଆଲ ଏଣ୍ଟରପ୍ରାଇଜର ଅଂଶୀଦାରମାନଙ୍କୁ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି।

Share