ତେବେ ଜି.ଆଇ. ମୂଲ୍ୟ ପ୍ରାୟତଃ ବ୍ୟବହୃତ ହୋଇ ଆସୁଥିଲେ ମଧ୍ୟ ବିଭିନ୍ନ ଖାଦ୍ୟଦ୍ରବ୍ୟରେ କାର୍ବୋହାଇଡ୍ରେଟ୍ର ପରିମାଣରେ ପରିଲକ୍ଷିତ ହୋଇଥାଏ ଖୁବ୍ ବିଭିନ୍ନତା। ତେଣୁ ରକ୍ତ ଗ୍ଲୁକୋଜ ମାତ୍ରା ବୃଦ୍ଧି କରିବା ପ୍ରବଣତାର ଠିକ୍ ସୂଚକ ହେଉଛି ‘ଗ୍ଲାଇସିମିକ୍ ଲୋଡ୍’ ବା ଜି.ଏଲ୍.। ଏହି ଜି.ଏଲ୍. ଉପରେ ଏବେ ଆରୋପ କରାଯାଉଛି ଅନେକ ଗୁରୁତ୍ୱ। ଗ୍ଲାଇସିମିକ୍ ଲୋଡ୍ ହେଉଛି ଏକ ଗାଣିତିକ ଅବଧାରଣା, ଯାହା ଖାଦ୍ୟର ଗ୍ଲାଇସିମିକ୍ ଇଣ୍ଡେକ୍ସ ଓ ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍ର ପରିମାଣକୁ ବିଚାରକୁ ନେଇ ନିର୍ଦ୍ଧାରଣ କରାଯାଏ। ଗ୍ଲାଇସିମିକ୍ ଲୋଡ୍ ବେଶି ହୋଇଥିଲେ ତାହା ରକ୍ତ ଗ୍ଲୁକୋଜର ମାତ୍ରାକୁ ବୃଦ୍ଧି କରିଥାଏ। ସୁତରାଂ ରକ୍ତରେ ଗ୍ଲୁକୋଜ୍ର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ନିମ୍ନ ଜି.ଆଇ. ବିଶିଷ୍ଟ ଖାଦ୍ୟ ଏବଂ କମ୍ ପରିମାଣର କାର୍ବୋହାଇଡ୍ରେଟ୍ ଥିବା ଖାଦ୍ୟ ଖାଇବା ଉଚିତ।
ସେଥିପାଇଁ ଆମ ଖାଦ୍ୟରେ ଆମେ ଉଚ୍ଚ ଜି.ଆଇ. ଏବଂ ଜି.ଏଲ୍. ବିଶିଷ୍ଟ ଖାଦ୍ୟ ପରିମାଣକୁ ହ୍ରାସ କରାଇବା ନିରାପଦ। ଏହା କେବଳ ଯେ ଡାଇବେଟିସ୍ର ନିବାରଣ ଓ ନିୟନ୍ତ୍ରଣରେ ସହାୟକ ହୋଇପାରିବ ସେତିକି ନୁହେଁ, ଏହା ମଧ୍ୟ ହୃଦ୍ଧମନୀ ରୋଗର ହାରକୁ ହ୍ରାସ କରିବାରେ ସହାୟକ ହୋଇପାରିବ। ଏହି ପ୍ରସଙ୍ଗରେ ଜାଣି ରଖିବା ଉଚିତ ଯେ ଏବେ ଆମ ଦେଶର କିଶୋର ଓ ଯୁବଗୋଷ୍ଠୀ ମଧ୍ୟ ହାର୍ଟ ଆଟାକରେ ଆକ୍ରାନ୍ତ ହୋଇପଡ଼ିଲେଣି।
ଯଦି ଉଚ୍ଚ ଜି.ଆଇ. ବା ମନ୍ଦ ଶ୍ୱେତସାର (ବ୍ୟାଡ୍ କାର୍ବୋହାଇଡ୍ରେଟ୍) ବିଶିଷ୍ଟ ଖାଦ୍ୟ ବଦଳରେ ନିମ୍ନ ଜି.ଆଇ. ବିଶିଷ୍ଟ ‘ଭଲ’ ଶ୍ୱେତସାର (ଗୁଡ୍ କାର୍ବୋହାଇଡ୍ରେଟ୍) ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ନିୟମିତ ଶାରୀରିକ ପରିଶ୍ରମ, ବ୍ୟାୟାମ ଆଦି କରାଯାଏ, ତେବେ ଏହାଫଳରେ ବେଶି ଉପକୃତ ହୋଇପାରିବେ କିଶୋର ଗୋଷ୍ଠୀ ଓ ଯୁବଗୋଷ୍ଠୀ। ପୁନଶ୍ଚ ଶରୀରର ଓଜନ ଅନୁମୋଦିତ ସ୍ତରରୁ ବେଶି ଥିଲେ ଓ ପରିବାରର କେହି ଡାଇବେଟିସ୍ରେ ଆକ୍ରାନ୍ତ ହୋଇଥିଲେ କମ୍ ଜି.ଆଇ. ଓ ଜି.ଏଲ୍. ବିଶିଷ୍ଟ ଖାଦ୍ୟ ଖାଇ ବହୁଳାଂଶରେ ହ୍ରାସ କରାଯାଇପାରିବ ଡାଇବେଟିସ୍ ଜାତ ହେବାର ଆଶଙ୍କା।
(ଶେଷ ଭାଗ)
-ଡା. ନିତ୍ୟାନନ୍ଦ ସ୍ବାଇଁ, ‘ଅଭୀପ୍ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ,
କଟକ-୧୪
ମୋ: ୮୩୨୮୯୭୫୧୧୮