Categories: ଜାତୀୟ

ଅଭିଭାବକଙ୍କୁ ଶିକ୍ଷାମନ୍ତ୍ରୀଙ୍କ ଉତ୍ତର ଯାଅ’ ମର

ଭୋପାଳ,୩୦।୬: ଅଭିଭାବକମାନେ ସ୍କୁଲ୍‌ ଫି’ ବୃଦ୍ଧିକୁ ବିରୋଧ କରି ମଧ୍ୟପ୍ରଦେଶର ବିଦ୍ୟାଳୟ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାରଙ୍କ ପାଖକୁ ଗୁହାରୀ କରିବାକୁ ଯାଇଥିଲେ। ହେଲେ କଥା ବୁଝିବା ପରିବର୍ତ୍ତେ ମନ୍ତ୍ରୀ ଅଭିବାବକଙ୍କୁ ମନ୍ତ୍ରୀ କହିଥିଳେ ‘ଯାଅ ମର’। ଛାତ୍ରୀଛାତ୍ରଙ୍କ ମା’ବାପାଙ୍କ ପ୍ରତି ମନ୍ତ୍ରୀଙ୍କ ଏଭଳି ବ୍ୟବହାର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ମନ୍ତ୍ରୀ ପରମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ମଧ୍ୟପ୍ରଦେଶର ଘରୋଇ ସ୍କୁଲଗୁଡ଼ିକ ଛାତ୍ରୀଛାତ୍ରଙ୍କଠାରୁ ଅତ୍ୟଧିକ ଫି’ ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଆସୁଛି। କେବଳ ଟିଉସନ ଫି’ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ସତ୍ତ୍ୱେ ଅନେକ ସ୍କୁଲ ଭିନ୍ନ ଭିନ୍ନ ହେଡ୍‌ରେ ଫି’ ପଇଠ କରିବାକୁ ବାଧ୍ୟ କରୁଛନ୍ତି। ଏନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିବାଦ କରାଯାଇଛି।

ତେଣୁ ବର୍ଦ୍ଧିତ ସ୍କୁଲ୍‌ ଫି’ ପ୍ରତ୍ୟାହାର ଦାବିରେ ଅଭିଭାବକମାନେ ପରମାରଙ୍କ ସରକାରୀ ବାସଭବନକୁ ଭେଟିବା ପାଇଁ ଯାଇଥିଲେ। କହିଥିଲେ, ଶିକ୍ଷା ବିଭାଗ ସେମାନଙ୍କ ସମସ୍ୟାର ସମାଧାନ ନ କଲେ ସେମାନେ କ’ଣ କରିବେ। ଏନେଇ ମନ୍ତ୍ରୀଙ୍କ ଉତ୍ତର ଥିଲା, ଯାଅ ମର। ପଲକ ମହାସଂଘ ଅଧ୍ୟକ୍ଷ କମଲ ବିଶ୍ୱକର୍ମା କହିଛନ୍ତି, ଘରୋଇ ସ୍କୁଲକୁ ଯାଉଥିବା ପିଲାମାନେ ଏବେ ଫି’ ଦେଇ ନ ପାରି ସରକାରୀ ସ୍କୁଲକୁ ଯିବା ଆରମ୍ଭ କଲେଣି। ଶିକ୍ଷାମନ୍ତ୍ରୀଙ୍କୁ ଆମେ ଅନେକ ଥର ଭେଟିଲୁଣି। କିନ୍ତୁ କିଛି ସୁଫଳ ମିଳିନାହିଁ। ତାଙ୍କ ପାଖକୁ ଯାଇଥିଲୁ। ସେ ଆମକୁ ଦୁର୍ବ୍ୟବହାର କଲେ। ଇତିମଧ୍ୟରେ ରାଜ୍ୟର ଭାଜପା ସରକାର କ୍ଷମତାକୁ ନେଇ ଅହଂକାରୀ ହୋଇଯାଇଛି ବୋଲି କଂଗ୍ରେସ ସମାଲୋଚନା କରିଛି।

Share