‘ଗୋ ଗୋଟା ଗୋ’, ଆର୍ଥିକ ସଙ୍କଟ ଯୋଡୁଛି ୨୬ ବର୍ଷର ସାମ୍ପ୍ରଦାୟିକ ଫାଟ…

କଲମ୍ବୋ, ୧୭।୪ : ଶ୍ରୀଲଙ୍କାର ରକ୍ତାକ୍ତ ସାମ୍ପ୍ରଦାୟିକ ବିବାଦ ୨୬ ବର୍ଷ ତଳେ ୨୦ ମଇ ୨୦୦୯ ରେ ସମାପ୍ତ ହୋଇଥିଲା। କିନ୍ତୁ ଦେଶର ଦୁଇ ଗୋଷ୍ଠୀ, ସିଂହଳୀ ବୁଦ୍ଧ ଏବଂ ତାମିଲଙ୍କ ମଧ୍ୟରେ ମତଭେଦର ଫାଟ କେବେ ବି କମି ନ ଥିଲା। ଜୁନ ୧୯୮୬ର ତିକ୍ତ ସ୍ମୃତି ଲୋକଙ୍କ ମନରେ ଏବେ ବି ରହିଛି।

ଶ୍ରୀଲଙ୍କା ନୌସେନା ମାଣ୍ଡିଥାଇଭୁ ଦ୍ୱୀପର ତାମିଲଙ୍କ ଉପରେ ଏକ ବର୍ବର ଆକ୍ରମଣ କରିଥିଲା। ଏଥିରେ ୩୩ ଜଣ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିଲା। ସମ୍ପ୍ରତି ଶ୍ରୀଲଙ୍କା ସୈନିକଙ୍କ ମାଣ୍ଡିଥାଇଭୁ ଦ୍ୱୀପ ଚେକ ପୋଷ୍ଟରେ ଏକ ବୋର୍ଡ ଲଗାଯାଇଛି। ଏଥିରେ ଲେଖା ଅଛି ‘ ଆମେ ସଭିଏଁ ଏକ, ଆମେ ବିବିଧତା ମଧ୍ୟରେ ଏକତାରେ ପହଞ୍ଚିବା’। ଅନେକେ ଏହି ବୋର୍ଡକୁ ସମୟ ବଦଳାଇବାର ସଙ୍କେତ ବୋଲି ବିବେଚନା କରୁଛନ୍ତି ଏବଂ ଆଶା କରୁଛନ୍ତି ଯେ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସରକାରଙ୍କ ବିରୁଦ୍ଧରେ ଲୋକଙ୍କ ଆନ୍ଦୋଳନ ୨୬ ବର୍ଷର ସାମ୍ପ୍ରଦାୟିକ ଫାଟକୁ ଯୋଡ଼ିବାରେ ପ୍ରୟାସ କରୁଛି। ଭାଇଚାରାର ଏକ ନୂତନ କାହାଣୀ ଲେଖୁଛି।

କଲମ୍ବୋ ଇଣ୍ଡିପେଣ୍ଡେନ୍ସ୍‌ ସ୍କୋୟାର ସରକାର ବିରୋଧୀ ଆନ୍ଦୋଳନର କେନ୍ଦ୍ର ପାଲଟିଛି। ଲୋକେ ପ୍ଲା କାର୍ଡରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ବିରୋଧରେ ସ୍ଲୋଗାନ୍‌ ଲେଖିଛନ୍ତି। ଏଥିରେ ଲେଖା ଅଛି ‘ଗୋ ଗୋଟା ଗୋ’।

ଶ୍ରୀଲଙ୍କାରେ ୧୨ ବର୍ଷ ପିଲାଙ୍କ ଠାରୁ ଆରମ୍ଭ କରି ୭୦ ବର୍ଷ ବୟସର ଲୋକମାନେ ସରକାର ବିରୋଧରେ ଏକଜୁଟ ହୋଇଛନ୍ତି। ସିହ୍ନା, ତାମିଲ ଏବଂ ମୁସଲମାନଙ୍କ ମଧ୍ୟରେ ଆଉ ସାମ୍ପ୍ରଦାୟିକତାର ପ୍ରାଚୀର ନାହିଁ। ଲୋକମାନେ ଇଂଲିଶ୍‌, ତାମିଲ ଏବଂ ସିଂହଳୀ ଭାଷାରେ ’ଗୋ ଗୋଟା ଗୋ … ଘରକୁ ଯାଅ’ ଶବ୍ଦ ସହିତ ପୋଷ୍ଟର ଧରିଛନ୍ତି। ବିକ୍ଷୋଭକାରୀଙ୍କ ପ୍ଲାକାର୍ଡରେ ଲେଖାଯାଇଛି, ’ତୁମେ ଭୁଲ ପିଢ଼ି ସହିତ ମୁକାବିଲା କରୁଛ … ଆମ ଦେଶକୁ ନଷ୍ଟ କରିବା ବନ୍ଦ କର। ଆମର ଚୋରି ହୋଇଥିବା ଟଙ୍କା ଫେରସ୍ତ କର। ’

ଶ୍ରୀଲଙ୍କାର ପୂର୍ବତନ ସେନାଧ୍ୟକ୍ଷ ଆରଏମ ଦୟା ରତ୍ନାଏକ କହିଛନ୍ତି ଯେ ୧୯୫୮ ସିଂହଳୀ-ତାମିଲ ଦଙ୍ଗା ହେଉ କିମ୍ବା ୧୯୮୩ ଦଙ୍ଗା ହେଉ, ଦକ୍ଷିଣରେ ସିଂହଳୀ ତାମିଲମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ସେହିପରି ତାମିଲମାନେ ଉତ୍ତରରେ ସିଂହଳୀମାନଙ୍କୁ ସୁରକ୍ଷା ଦେଇଥିଲେ। ସେ କହିଛନ୍ତି ଯେ ଶ୍ରୀଲଙ୍କାରେ ସମୁଦାୟ ୨.୨ କୋଟି ଜନସଂଖ୍ୟା ମଧ୍ୟରୁ ୭୬ ପ୍ରତିଶତ ସିଂହଳୀ, ୧୦ ପ୍ରତିଶତ ତାମିଲ ଏବଂ ୮ ପ୍ରତିଶତ ମୁସଲମାନ ଅଛନ୍ତି।

Share