ଅନାଥଙ୍କ ଘରକୁ ଯାଇ କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ,୨୦ା୧: କୋଭିଡ୍‌-୧୯ରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପାଖକୁ ଯାଇ କ୍ଷତିପୂରଣ ଦିଅ। ସେମାନେ କେବେ କ୍ଷତିପୂରଣ ଦାବିରେ ଆବେଦନ କରିବେ ତାକୁ ଅପେକ୍ଷା କରନାହିଁ ବୋଲି ବୁଧବାର ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ମହାମାରୀ ସମୟରେ ମା’ବାପାଙ୍କୁ ହରାଇଥିବା ୧୦,୦୦୦ ଅନାଥ ଶିଶୁଙ୍କ ପାଖରେ ପହଞ୍ଚତ୍ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଛି। କୋଭିଡ୍‌ ମହାମାରୀରେ ଆମତ୍ୀୟଙ୍କୁ ହରାଇଥିବା ପରିବାର ପିଛା ୫୦,୦୦୦ ଟଙ୍କା ଲେଖାଏ କ୍ଷତିପୂରଣ ଦେବା ପାଇଁ ସୁପ୍ରିମକୋର୍ଟ ସ୍ଥିର କରିଛନ୍ତି। ତେବେ କେତେକ ରାଜ୍ୟ ଏଥିରେ ଟାଳଟୁଳ ନୀତି ଆପଣାଉଥିବାରୁ ଅଦାଲତଙ୍କ ତତ୍ତ୍ୱାବଧାନରେ କ୍ଷତିପୂରଣ ଦିଆଯାଉ ବୋଲି ଆଇନଜୀବୀ ଗୌରବ ବଂଶଲ ଦାଖଲ କରିଥିବା ଏକ ପିଟିଶନରେ ପ୍ରାର୍ଥନା କରିଥିଲେ। ଜଷ୍ଟିସ୍‌ ଏମ୍‌.ଆର୍‌. ଶାହ ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ଆବେଦନର ଶୁଣାଣି ବେଳେ କେରଳ ସରକାରଙ୍କ ଓକିଲଙ୍କୁ କହିଥିଲେ, ଯେଉଁଠି ବି କୋଭିଡ୍‌ ମୃତ୍ୟୁ ରେକର୍ଡ ହୋଇଛି ସେଠାକୁ ନିଜ ଅଧିକାରୀମାନଙ୍କୁ ପଠାନ୍ତୁ। ଅଫିସରମାନେ ସେମାନଙ୍କ ଘରକୁ ଯିବା ଜରୁରୀ। ମୃତ୍ୟୁ ପଞ୍ଜୀକୃତ ହୋଇଥିବା ସ୍ଥାନକୁ ଯିବା ପାଇଁ ଅଦାଲତଙ୍କୁ ଯେପରି ଆଉ ତାଗିଦ କରିବାକୁ ନ ପଡ଼େ ସରକାର ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଆମତ୍ୀୟସ୍ବଜନଙ୍କୁ ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। କେରଳରେ ମହାମାରୀ ଅଦ୍ୟାବଧି ୪୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିବାବେଳେ ପ୍ରାୟ ୨୩,୦୦୦ ପରିବାର କ୍ଷତିପୂରଣ ପାଇଛନ୍ତି। କ୍ଷତିପୂରଣ ରାଶି ପ୍ରଦାନରେ ବିଳମ୍ବକୁ ନେଇ ଜଷ୍ଟିସ୍‌ ଶାହ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ରାଜ୍ୟଗୁଡ଼ିକ ମନେକରୁଛନ୍ତି ଯେ, ଲୋକେ ସେମାନଙ୍କ ଦୟାରେ ଚଳୁଛନ୍ତି। ସେହିପରି ଜଷ୍ଟିସ୍‌ ଖାନ୍ନା କହିଥିଲେ, ରେକର୍ଡ ହୋଇଥିବା କୋଭିଡ୍‌ ମୃତ୍ୟୁ ଓ ଗ୍ରହଣ କରାଯାଇଥିବା ଆବେଦନ ସଂଖ୍ୟାରେ ବ୍ୟବଧାନ ଗମ୍ଭୀର ଚିନ୍ତାର ବିଷୟ। ଅନେକ ରାଜ୍ୟରେ ଯେତିକି ଲୋକ କୋଭିଡ୍‌-୧୯ ଯୋଗୁ ପ୍ରାଣ ହରାଇଛନ୍ତି ତା’ ତୁଳନାରେ କ୍ଷତିପୂରଣ ଦାବି କମ୍‌ ରହୁଛି। ଏହାସତ୍ତ୍ୱେ ସମ୍ପୃକ୍ତ ରାଜ୍ୟର ସରକାର ତତ୍ପରତା ଦେଖାଉନାହାନ୍ତି। ଏହି ଅବସରରେ ଖଣ୍ଡପୀଠ ଗୁଜରାଟ ସରକାରଙ୍କୁ ଡକ୍ୟୁମେଣ୍ଟେଶନ୍‌ ସାମ୍ପୁଲ ମାଗିଥିଲେ। ଆନ୍ଧ୍ର ପ୍ରଦେଶ ଓ ବିହାର ମୁଖ୍ୟ ସଚିବଙ୍କଠାରୁ କ୍ଷତିପୂରଣ ପ୍ରଦାନ ନେଇ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ପୂର୍ବରୁ ନିର୍ଦ୍ଦେଶ ରହିଥିବାବେଳେ ଅର୍ଥ ପ୍ରଦାନରେ ଖିଲାପ କରିଥିବା ଆନ୍ଧ୍ର ମୁଖ୍ୟ ସଚିବ ସମୀର ଶର୍ମାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷଙ୍କ ସହାୟତାରେ ପୀଡ଼ିତ ପରିବାର ସଂଖ୍ୟା ରେକର୍ଡ ମଗାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ।

Share