Categories: ଜାତୀୟ

ଲୋକଙ୍କ ପାଖକୁ ଯାଅ

ନୂଆଦିଲ୍ଲୀ,୮।୧୧: ଭାଜପା ସଦସ୍ୟମାନେ ସାଧାରଣ ଜନତାଙ୍କ ପାଖକୁ ଯାଆନ୍ତୁ। ସେମାନେ ଦଳ ଓ ଲୋକଙ୍କ ମଧ୍ୟରେ ବିଶ୍ୱାସର ସେତୁବନ୍ଧ ସାଜନ୍ତୁ ବୋଲି ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି। ଏଥିସହ ଆଗାମୀ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପା ଲୋକଙ୍କ ବିଶ୍ୱାସ ଜିତିବ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି।
ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚ ଆଡ଼କୁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭାଜପା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଉକ୍ତ ବୈଠକକୁ ସମ୍ବୋଧିତ କରି କହିଛନ୍ତି, ଭାଜପା କୌଣସି ନିର୍ଦ୍ଦିଷ୍ଟ କରିବାର ଚାରିପଟେ ଘୂରି ବୁଲିବା ପରିବର୍ତ୍ତେ ‘ସେବା, ସଙ୍କଳ୍ପ ଓ ସମର୍ପଣ’ର ମୂଲ୍ୟବୋଧକୁ ନେଇ ଆଗେଇ ଚାଲିଛି। ନିକଟରେ ଅନୁଷ୍ଠିତ ତେଲଙ୍ଗାନାର ଏଲ୍ଲେନାବାଦ ଉପନିର୍ବାଚନରେ ସଫଳତା ଭାଜପାର ବିକାଶ କାର୍ଯ୍ୟସୂଚୀର ଗ୍ରହଣୀୟତାକୁ ଦର୍ଶାଉଛି। ଭାଜପା ଲୋକଙ୍କ ସେବା କରିବାର ସଂସ୍କୃତି ପ୍ରତି ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ କହିଥିବା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଥିଲେ, ଦଳକୁ ଆହୁରି ସଙ୍ଗଠିତ କରିବାକୁ ପଡ଼ିବ। ଭାଜପା ପାଇଁ ଭଲ ସମୟ ଆସିବା ବାକି ଅଛି। ସେହିପରି ଆଗାମୀ ନିର୍ବାଚନରେ ଦଳର ବିଜୟକୁ ସୁନିଶ୍ଚିତ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସ୍ପଷ୍ଟ କରିଥିଲେ। ବୈଠକରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରୁ ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରର ମୁଖ୍ୟମନ୍ତ୍ରୀ ତଥା ଭାଜପା ସଭାପତିମାନେ ଦଳୀୟ ରଣନୀତିକୁ ନେଇ ରିପୋର୍ଟ ଉପସ୍ଥାପନ କରିଥିଲେ। ପଞ୍ଜାବ ୟୁନିଟ୍‌ ସଭାପତି ମଧ୍ୟ ଅନୁରୂପ ଉପସ୍ଥାପନା ରଖିଥିଲେ। ଭାଜପା ନେତାମାନେ ୫ ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାର୍ଯ୍ୟକାରିଣୀ ବୈଠକରେ ଏକ ରାଜନୈତିକ ସଂକଳ୍ପନାମା ଉପସ୍ଥାପନ ପାଇଁ ପରାମର୍ଶ ଦେଇଥିଲେ। ଯୋଗୀଙ୍କ ପ୍ରସ୍ତାବକୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଓ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂ ସମର୍ଥନ କରିଥିଲେ। ଉକ୍ତ ସଂକଳ୍ପନାମାରେ କୋଭିଡ୍‌-୧୯ ମୁକାବିଲା, ଟିକାକରଣ, ଜଳବାୟୁ ପରିବର୍ତ୍ତନ’ଆଦି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ ସହ ବିରୋଧୀ ଦଳଗୁଡ଼ିକ ସୁବିଧାବାଦ ରାଜନୀତି କରୁଥିବା ନେଇ ନିନ୍ଦା କରାଯାଇଛି।

Share