Categories: ଜାତୀୟ

ଗୋଆ କଂଗ୍ରେସରେ ସଙ୍କଟ: ଲୋବୋ ଓ କାମତଙ୍କୁ ଅଯୋଗ୍ୟ ପାଇଁ ଦାବି

ପଣଜୀ,୧୧।୭: ଗୋଆ କଂଗ୍ରେସରେ ଦେଖାଦେଇଥିବା ବିଦ୍ରୋହକୁ ନେଇ ଏଠାରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇଛି। ବରିଷ୍ଠ କଂଗ୍ରେସ ବିଧାୟକ ଦିଗମ୍ବର କାମତଙ୍କ ନେତୃତ୍ୱରେ ୧୧ବିଧାୟକଙ୍କ ମଧ୍ୟରୁ ଅତିକମ୍‌ରେ ୫ଜଣ ବିଧାୟକ ଭାଜପାରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିକୁ ଗୋଆ କଂଗ୍ରେସ ଦାୟିତ୍ୱରେ ଥିବା ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ନେତା ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି, ରାଜ୍ୟର ସମସ୍ତ ୧୧ ଦଳୀୟ ବିଧାୟକଙ୍କୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପିତ କରାଯିବ। ଇତିମଧ୍ୟରେ କଂଗ୍ରେସ ଆକ୍ସନମୁଡରେ ଆସିଛି। ବିରୋଧୀଦଳ ନେତା ପଦରୁ ମାଇକେଲ ଲୋବୋଙ୍କୁ କଂଗ୍ରେସ ହଟାଇଦେଇଛି। ଏଥିସହ ଗୋଆ ବାଚସ୍ପତି ରମେଶ ତାଓ୍ବଡେକରଙ୍କ ନିକଟରେ ସୋମବାର ମାଇକେଲ ଓ କାମତଙ୍କୁ ଆଯୋଗ୍ୟ ପାଇଁ କଂଗ୍ରେସ ଦାବି କରିଛି। ବିଧାନସଭା ଅଧିବେଶନରେ ୫ଜଣ ବିଧାୟକ ଯୋଗ ନ ଦେବା ପରେ ଏଭଳି ଅବସ୍ଥା ଘଟିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗୋଆ କଂଗ୍ରେସ ବିଧାୟକମାନଙ୍କର ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳରେ କୌଣସି ଫାଟ ନାହିଁ ବୋଲି କୁହାଯାଇଥିଲା। ସୂଚନା ମୁତାବକ, ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସର ୧୧ଜଣ ବିଧାୟକ ରହିଛନ୍ତି। ସେହିପରି ଭାଜପାର ୨୦ଜଣ ବିଧାୟକ ଥିବା ବେଳେ ଏଠାରେ ସରକାରଙ୍କୁ ଏମ୍‌ଜିପିର ୨ ଓ ୩ ସ୍ବାଧୀନ ବିଧାୟକ ସମର୍ଥନ ଦେଉଛନ୍ତି।

Share