ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା

ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ପୂର୍ବ ଜିଲାର ଉପକୂଳବର୍ତ୍ତି ଅଞ୍ଚଳରେ ଏହି ପ୍ରତିମା ସ୍ଥାନନ କରିବେ ଗୋଆ ସରକାର। ଏନେଇ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ତଥା କାଲାଙ୍ଗୁଟେର ବିଧାୟକ ମାଇକେଲ ଲୋବୋ ସୂଚନା ଦେଇଛନ୍ତି। ପୂର୍ବରୁ ହିଁ ମାରାଡୋନାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି। ମହାରାଷ୍ଟ୍ରର ଜଣେ କଳାକାର ଏହି ପ୍ରତିମୂର୍ତ୍ତି ନିର୍ମାଣ କରୁଛନ୍ତି ବୋଲି ମାଇକେଲ କହିଛନ୍ତି।

ତେବେ ୨୦୧୮ରେ ରାଜ୍ୟରେ ମାରାଡୋନାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ମାଇକେଲ ଘୋଷଣା କରିଥିଲେ। ଆସନ୍ତା ବର୍ଷ କାଣ୍ଡୋଲିମ କିମ୍ବା କାଲାଙ୍ଗୁଟେରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହି ପ୍ରତିମାର ଓଜନ ୩୫୦ କିଲୋଗ୍ରାମ୍‌ ହୋଇଥିବା ବେଳେ ଫୁଟବଲ ସଂସ୍କୃତିକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ଅନ୍ୟ ଜଣେ ଫୁଟବଲର ଭେଟେରାନ କ୍ରିଷ୍ଟିଆନୋ ରୋନାଲଡୋଙ୍କ ଏକ ପ୍ରତିମୂର୍ତ୍ତି ରାଜ୍ୟର ଉତ୍ତର ଜିଲାରେ ସ୍ଥାପନ କରାଯିବାକୁ ପ୍ରସ୍ତୁତି କରାଯାଉଛି ବୋଲି ମନ୍ତ୍ରୀ ମାଇକେଲ କହିଛନ୍ତି। ସୂଚନାଯୋଗ୍ୟ, ୧୯୮୬ ବିଶ୍ୱକପରେ ଆର୍ଜେଣ୍ଟିନାର ବିଜୟର ନାୟକ ସାଜିଥିବା ଡିଏଗୋ ମାରାଡୋନାଙ୍କ ବୁଧବାର ଦେହାନ୍ତ ଘଟିଛି।

Share