ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଗୋଆ: କିନ୍ତୁ ପାଳନ କରିବାକୁ ପଡ଼ିବ ଏହିସବୁ ନିୟମ

ପଣଜି,୨।୭: ଦେଶର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଗୋଆ ହେଉଛି ଅନ୍ୟତମ। ଏଠାକୁ ଦେଶ ଓ ରାଜ୍ୟ ବାହାରୁ ଲୋକଙ୍କ ସୂଅ ଛଟିଥାଏ। କିନ୍ତୁ କରୋନା ମହାମାରୀ ସଙ୍କଟ ଯୋଗୁ ମାର୍ଚ୍ଚ ପରଠାରୁ ପର୍ଯ୍ୟଟଙ୍କ ଲାଗି ଗୋଆ ବାରଣ କରାଯାଇଥିଲା। ହେଲେ ଜୁଲାଇ ୨ ଅର୍ଥାତ୍‌ ଗୁରୁବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଗୋଆ ପର୍ଯ୍ୟଟନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ପର୍ଯ୍ୟଟନ ଗତିବିଧି ଆରମ୍ଭ କରିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ମନୋହର ଅଜଗାଓ୍ବଁକର ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟନ ସ୍ଥଳୀ ଆରମ୍ଭ କରିବା ସହ ପର୍ଯ୍ୟଟକଙ୍କ ପାଇଁ କିଛି ନିୟମାବଳୀ ଲାଗୁ କରାଯାଇଛି। ଏହି ନିୟମ ଅନୁସାରେ ଗୋଆ ଆସୁଥିବା ଯାତ୍ରୀମାନେ ପୂର୍ବରୁ ହିଁ ହୋଟେଲ ବୁକ୍‌ କରିବେ। ଆଉ ନିଶ୍ଚିତ କରିବେ କି, ବୁକ୍‌ କରାଯାଇଥିବା ହୋଟେଲକୁ ପର୍ଯ୍ୟଟନ ବିଭାଗରୁ ଅନୁମତି ମିଳିଛି କି ନାହିଁ। ଏଥିସହ ରାଜ୍ୟରେ ପ୍ରବେଶ କରିବା ପୂର୍ବରୁ ସବୁ ପର୍ଯ୍ୟଟଙ୍କ ପାଖରେ କୋଭିଡ-୧୯ ନେଗେଟିଭ୍‌ ପ୍ରମାଣପତ୍ର ରହିବା ଆବଶ୍ୟକ। ଏହାକୁ ରାଜ୍ୟ ସୀମାରେ ଯାଞ୍ଚ କରାଇବାକୁ ପଡ଼ିବ। ଯାଞ୍ଚର ପରିଣାମ ନ ଆସିବା ଯାଏଁ ରାଜ୍ୟ ଦ୍ୱାରା ପରିଚାଳିତ ହେଉଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସେମାନଙ୍କୁ ରଖାଯିବ। ଯଦି ରିପୋର୍ଟ ପଜିଟିଭ ଆସେ ତେବେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟରେ ନିଜ ରାଜ୍ୟରେ କିମ୍ବା ଗୋଆରେ ଚିକିତ୍ସା କରାଇବାର ବିକଳ୍ପ ରହିବ। ସୂଚନାଯୋଗ୍ୟ, ଗୋଆରେ ଏପର୍ଯ୍ୟନ୍ତ ୧୩୧୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୭୧୬ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୫୯୬ଜଣ ସୁସ୍ଥ ଓ ୩ଜଣଙ୍କ ମୃତ୍ୟୁ ଘଟିଛି।

Share