Categories: ଜାତୀୟ

ଉତ୍ପଳ ପାରିକରଙ୍କୁ ଭାଜପାର ଅନୁରୋଧ

ପଣଜି,୨୪ ।୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ସ୍ୱର୍ଗତ ମନୋହର ପାରିକରଙ୍କର ପୁଅ ଉତ୍ପଳ ପାରିକରଙ୍କୁ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ଲାଗି ଟିକେଟ ମିଳିନାହିଁ । ଏଥିରେ ଅସନ୍ତୁଷ୍ଟ ହୋଇ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଲଢିବେ ବୋଲି ଗତ ସପ୍ତାହରେ ଘୋଷଣା କରିଛନ୍ତି । ଏବେ ଭାଜପାର ଜେନେରାଲ ସେକ୍ରେଟାରୀ ସିଟି ରବି ଉତ୍ପଳଙ୍କୁ ସ୍ୱାଧିନ ଭାବେ ନ ଲଢିବା ପାଇଁ ଅନୁରୋଧ କରିଛନ୍ତି । ଉତ୍ପଳ ତାଙ୍କ ମତ ବଦଳାଇ ଦିଅନ୍ତୁ ଓ ତାଙ୍କ ପିତାଙ୍କ ସ୍ୱପ୍ନକୁ ପୂରଣ କରନ୍ତୁ ବୋଲି ରବି କହିଛନ୍ତି । ସୂଚନାଯୋଗ୍ୟ, ଗୋଆ ବିଧାନସଭା ନିର୍ବାଚନ ଲାଗି ଭାଜପା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସେଥିରେ ଉତ୍ପଳଙ୍କ ନାଁ ନ ଥିଲା । ଏହାସହ ସେ ପଣଜିରୁ ବିର୍ନାଚନ ଲଢିବାକୁ ଆଶା ରଖିଥିଲେ । ହେଲେ ପ୍ରଥମ ପର୍ଯ୍ୟାୟରେ ଭାଜପା ତାଙ୍କୁ ସମ୍ପୂର୍ଣ୍ଣ ଭାବେ କାଟି ଦେଇଛି । ଭାଜପା ପାଇଁ ଅନେକ ଶ୍ରମ ଦେଇ ଶେଷ ଜୀବନ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ମନୋହର ପାରିକରଙ୍କ ପୁଅସହ ଭାଜପାର ଏଭଳି ମନୋଭାବକୁ ନେଇ ଅନ୍ୟ ରାଜନୈତିକ ଦଳମାନେ ଚର୍ଚ୍ଚା କରୁଛନ୍ତି ।

Share