Categories: ଖେଳ

ଗୋଆ, ତେଲଙ୍ଗାନା, ରାଜସ୍ଥାନ ସେମିରେ

ଅନୁଗୋଳ ଅଫିସ, ୫ା୧୧: ଅନୁଗୋଳ ସହର କଦମ ପଡ଼ିଆଠାରେ ବାଜି ରାଉତ କପ୍‌ ଜାତୀୟ ଫୁଟବଲ ଟୁର୍ନାମେଣ୍ଟର ୩ଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚର୍ଚ୍ଚିଲ ବ୍ରଦର୍ସ ଏଫ୍‌ସି ଗୋଆ, ଶ୍ରୀନିଧି ଡେକାନ୍‌ ଏଫ୍‌ସି ତେଲଙ୍ଗାନା ଓ ରାଜସ୍ଥାନ ୟୁନାଇଟେଡ୍‌ ଏଫ୍‌ସି ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ସର୍ବଭାରତୀୟ ଫୁଟବଲ ସଂଘ ସହଯୋଗରେ ତଥା ଆମେ ଓଡ଼ିଆ ଫାଉଣ୍ଡେଶନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ତଥା ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ଗୁରୁବାର ଢେଙ୍କାନାଳରେ ଖେଳାଯାଇଥିଲା। ଦ୍ୱିତୀୟ ଦିବସରେ ଅନୁଗୋଳ କଦମ ପଡ଼ିଆରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଚର୍ଚ୍ଚିଲ ବ୍ରଦର୍ସ ଏଫ୍‌ସି ଗୋଆ ଓ ଗୋକୁଲମ୍‌ ଏଫ୍‌ସି କେରଳ ଟିମ୍‌ ମୁହଁାମୁହଁି ହୋଇଥିଲେ। ଉଭୟ ଦଳ ୧-୧ ଗୋଲ ସ୍କୋର କରିବାରୁ ପେନାଲଟି ଶୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ଚର୍ଚ୍ଚିଲ ବ୍ରଦର୍ସ ଗୋଆ ୫-୪ ଗୋଲରେ ବିଜୟୀ ହୋଇଥିଲା। ଚମତ୍କାର ଗୋଲ୍‌ରକ୍ଷଣ ପାଇଁ ଗୋଆ ଗୋଲକିପର ନୋରା ଫର୍ନାଡିସ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଶ୍ରୀନିଧି ଡେକାନ୍‌ ଏଫ୍‌ସି ତେଲଙ୍ଗାନା ଓ ଦିଲ୍ଲୀ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଡେକାନ୍‌ ଏଫ୍‌ସି ତେଲଙ୍ଗାନା ୨-୧ରେ ବିଜୟୀ ହୋଇଥିଲା। ବିଜୟୀ ଦଳର ଏମ୍‌ଡି ଆୱଲଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ଘୋଷଣା କରାଯାଇଥିଲା। ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ରାଜସ୍ଥାନ ୟୁନାଇଟେଡ୍‌ ଏଫ୍‌ସି ଓ ମହମ୍ମଡାନ୍‌ ସ୍ପୋର୍ଟିଂ କ୍ଲବ କୋଲକାତା ମୁହଁାମୁହିଁ ହୋଇଥିଲେ। ବଢ଼ିଆ ଖେଳ ପ୍ରଦର୍ଶନ କରି ରାଜସ୍ଥାନ ୟୁନାଇଟେଡ୍‌ ଏକତରଫା ଭାବେ ୨-୦ ଗୋଲରେ କୋଲକାତାକୁ ପରାସ୍ତ କରିଥିଲା। ରାଜସ୍ଥାନ ଦଳ ପକ୍ଷରୁ ମାର୍ଟିନ୍‌ ଚାବେଶ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଜିଲାର ବହୁ କ୍ରୀଡ଼ାପ୍ରେମୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉସତ୍ାହିତ କରିଥିଲେ।

Share