ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନୀତିକୁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶୁକ୍ରବାର ସମାଲୋଚନା କରାଯାଇଛି। ବିମୁଦ୍ରୀକରଣ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭୁଲ୍ ପ୍ରମାଣିତ ହୋଇଥିବା ବରିଷ୍ଠ ବିଜେଡି ଏମ୍ପି ପିନାକୀ ମିଶ୍ର କହିଛନ୍ତି। ଲୋକ ସଭାରେ ୨୦୨୨ ଅର୍ଥ ବିଲ୍ ଆଲୋଚନାରେ ଭାଗନେଇ ପିନାକୀ କହିଥିଲେ, କଳାଧନ ଦୂର କରିବା, ଡିଜିଟାଲ ଅର୍ଥନୀତିର ପ୍ରସାର, ଜାଲ୍ ନୋଟ କାରବାର ରୋକିବା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ଲକ୍ଷ୍ୟରେ ବିମୁଦ୍ରୀକରଣ କରାଯାଇଥିଲା। ସେଥିରୁ କୌଣସି ଲକ୍ଷ୍ୟ ପୂରଣ ହୋଇନାହିଁ ଏହା ଟ୍ରେଜରୀ ବେଞ୍ଚ୍ ବୁଝିବା ଉଚିତ। ୧୬ ଲକ୍ଷ କୋଟି ଟଙ୍କା ଅଚଳ କରାଯାଇଥିଲା ଓ ସମ୍ପୂର୍ଣ୍ଣ ଅର୍ଥ ବ୍ୟାଙ୍କକୁ ଫେରିଥିଲା। ଏପରିକି ରିଜର୍ଭ ବ୍ୟାଙ୍କ ଇସ୍ୟୁ ବାହାରେ ୩୦,୦୦୦ କୋଟି ଟଙ୍କା ବ୍ୟାଙ୍କକୁ ଫେରିଥିଲା। ଅର୍ଥାତ୍ ୩୦,୦୦୦ କୋଟି ଟଙ୍କାର ଜାଲ୍ ନୋଟ ଆମ ମୁଦ୍ରା ବ୍ୟବସ୍ଥାକୁ ଚାଲିଆସିଥିଲା । ବର୍ତ୍ତମାନ ଦେଶରେ ନଗଦ ୨୯ ଲକ୍ଷ କୋଟି ଟଙ୍କାର ମୁଦ୍ରା ପ୍ରଚଳିତ ହେଉଛି। ପିନାକୀ ଦେଶର ଟିକସ ବ୍ୟବସ୍ଥାକୁ ସମାଲୋଚନା କରିବା ସହ ଏଥିରେ ସଂସ୍କାର ଆଣିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି।