Categories: ଜାତୀୟ

ସାଧାରଣ ଭୋଟର ତାଲିକା ଦ୍ୱାରା ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଲକ୍ଷ୍ୟ…

ନୂଆଦିଲ୍ଲୀ, ୨୨।୧୨: ଦେଶରେ ସାଧାରଣ ଭୋଟର ତାଲିକା (କମନ୍‌ ଇଲୋକ୍ଟ୍ରାର ରୋଲ୍‌) ପ୍ରସ୍ତୁତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହା ପ୍ରଧାନମନ୍ତ୍ରୀଙ୍କର ଏକ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି ଚର୍ଚ୍ଚା ହେଉଛି। ଏହି ତାଲିକା ପ୍ରସ୍ତୁତି ନେଇ ରାଜ୍ୟ ସଭାରେ ନିର୍ବାଚନ ସଂଶୋଧନ ଆଇନ-୨୦୨୧ ରାଜ୍ୟ ସଭାରେ ପାରିତ ହୋଇଛି।

ଦେଶରେ ହେଉଥିବା ସମସ୍ତ ନିର୍ବାଚନ ପାଇଁ ଏକ ସାଧାରଣ ଭୋଟର ତାଲିକା ପ୍ରସ୍ତୁତ କରିବା ଏହାର ମୂଳ ଲକ୍ଷ୍ୟ। ଏହା ଦ୍ୱାରା ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଲକ୍ଷ୍ୟ ହାସଲ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରିଥିବା କୁହାଯାଉଛି। ଏନେଇ ଦେଶର ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଭାଜପା ପକ୍ଷରୁ ଏହାର କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଛି। ଦେଶରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଏକ ସାଙ୍ଗରେ କରାଯିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ୨୦୧୮ରେ ପ୍ରଧାନମନ୍ତ୍ରୀ ନୀତି ଆୟୋଗ ସହିତ ଏକ ବୈଠକରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଦେଶର ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଏନେଇ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ।

ପଞ୍ଚାୟତ, ନଗରପାଳିକା, ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ପାଇଁ ଭିନ୍ନ ଭିନ୍ନ ଭୋଟର ତାଲିକା ପ୍ରସ୍ତୁତ କରିବା ଦ୍ୱାରା ଅଧିକ ଅର୍ଥ ବ୍ୟୟ ହେଉଛି। ତେଣୁ ଏକ ସାଧାରଣ ଭୋଟର ତାଲିକା ପ୍ରସ୍ତୁତ ହେଲେ ଅଯଥା ଖର୍ଚ୍ଚ ହେବନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି।

ଗତ ୨୦୧୯ ଅଗଷ୍ଟ ୧୩ରେ ପ୍ରଧାନମନ୍ତ୍ରୀଙ୍କ କାଯର୍ର୍‌ୟାଳୟ ପକ୍ଷରୁ ଏକ ବୈଠକରେ ଅନୁଚ୍ଛେଦ ୨୪୩-କେ ଏବଂ ୨୪୩-ଜେଡ୍‌-ଏର ସାମ୍ବିଧାନିକ ସଂଶୋଧନ କରାଯିବା ଲାଗି ପ୍ରସ୍ତାବ ଆଗତ କରାଯାଇଥିଲା। ଏହାଦ୍ୱାରା ଦେଶର ସମସ୍ତ ନିର୍ବାଚନ ଲାଗି ଗୋଟିଏ ସାଧାରଣ ଭୋଟର ତାଲିକା ପ୍ରସ୍ତୁତ କରିବା ଅନିବାର୍ଯ୍ୟ ହୋଇଯିବ। ଏଥିଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ରାଜି କରାଇବାକୁ କୁହାଯାଇଥିଲା।

Share