ବଜ୍ରାଘାତରେ ଛେଳି ଚରାଳିଙ୍କ ମୃତ୍ୟୁ

ଦିଗପହଣ୍ଡି,୧୯।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ ହାଇସ୍କୁଲ ଗାଈ ଗୁହାଳ ଛକ ଏରାବନ୍ଧ ପାହାଡ଼ ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ବଜ୍ରପାତ ହେବାରୁ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହ ପୁର ଗ୍ରାମର ଭାଲୁ ମହାଙ୍କୁଡ଼(୫୧)। ଭାଲୁ ସବୁଦିନ ଭଳି ମଙ୍ଗଳବାର ତାଙ୍କ ଛେଳିମାନଙ୍କୁ ଚରାଇବା ପାଇଁ ଗାଇ ଗୁହାଳ ଛକ ନିକଟ ପାହାଡ଼ ପାଖକୁ ଯାଇଥିଲେ। ଆକସ୍ମିକ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ସେ ଛେଳିଗୁଡିକୁ ସାଙ୍ଗରେ ନେଇ ଗୁହାଳକୁ ଫେରୁଥିବାବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ଆଖପାଖରେ ଥିବା ଲୋକେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଗାଁ ଲୋକଙ୍କୁ ଖବର କରିଥିଲେ। ପରିବାର ଲୋକେ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମୃତକଙ୍କ ସ୍ତ୍ରୀ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ପୋଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ବୁଧବାର ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।