ଛେଳି ଚୋରକୁ ଧରି ବହେ ଛେଚିଲେ ପରେ ଫାଣ୍ଡିରେ ଜିମା ଦେଲେ

ମୋରଡା,୧୧।୧୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକରେ ଦିନକୁ ଦିନ ଛେଳି ଚୋରି ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ୨ ଜଣ ଚୋରଙ୍କୁ ଧରି ଗ୍ରାମବାସୀ ପୋଲିସର ଜିମା ଦେଇଛନ୍ତି।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ହଳଦୀପାଳ ପଞ୍ଚାୟତର ପାରିଆଉଡ଼ା(ସମାଇଡ଼ିହି) ଗ୍ରାମ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ ରାସ୍ତାରେ ଏକ ବଜାଜ ପଲସର(ଓଡି-୦୧ଏଏମ-୭୪୬୬) ବାଇକ୍‌ରେ ଦୁଇଜଣ ଯୁବକ ନିଛାଟିଆ ସ୍ଥାନରେ ଚୋରାଉ ଥିବା ଏକ ଛେଳିକୁ ଉଠାଇ ନେବା ସମୟରେ ଦୁରେରେ ଥିବା କିଛି ଗ୍ରାମବାସୀ ଦେଖି ପାଟି କରିଥିଲେ। ଲୋକଙ୍କ ପାଟି ଶୁଣି ଯୁବକ ୨ ଜଣ ବାଇକକୁ ଛାଡି ଦୌଡ଼ି ପଳାଉଥିବା ସମୟରେ ଗ୍ରାମବାସୀ କାବୁ କରି ଉତ୍ତମ ମାଧ୍ୟମ ଦେଇ ଚିତ୍ରଡା ଫାଣ୍ଡିକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ପୋଲିସ ପହଞ୍ଚି ଯୁବକ ଦ୍ୱୟଙ୍କୁ ଫାଣ୍ଡିକୁ ନେବା ସହିତ ବାଇକ ସହିତ ଉକ୍ତ ଛେଳିକୁ ଜବତ କରିଛି । ଗିରଫ ଯୁବକ ଦୁଇଜଣ ହେଲେ ଅଁଳା ଗ୍ରାମର ମାଧ ପାତ୍ର ଏବଂ ବାଲିଆପାଳ ଥାନା କାଉମାରି ଗ୍ରାମର ବିଷ୍ଣୁପ୍ରସାଦ ସେଠୀ l
ଚୋରି ହେଉଥିବା ଛେଲିର ମାଲିକ ଗୁରୁ ଚରଣ ବେହେରା ଘଟଣାସ୍ଥଳରେ ପହଞ୍ଚିିଥିଲେ ଏବଂ ଏକ ମାସ ତଳେ ଉକ୍ତ ରାସ୍ତାରେ ଏକ ଛେଳି ଚୋରି ହୋଇଥିବା ବେଳେ ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଏଥିରେ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି।