Categories: ଜାତୀୟ

ସରକାରୀ କାଗଜପତ୍ର ଖାଇଗଲା ଛେଳି, ଆଉ ତା’ ପରେ…

କାନପୁର,୨ା୧୨: ଚୌବେପୁର ବ୍ଲକ କାର୍ଯ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଛେଳି ପାଟିରେ ବ୍ଲକ କାର୍ଯ୍ୟାଳୟର କିଛି ଫାଇଲପତ୍ର ଧରି ପଳାଇଥିଲା। ଏହା ଜଣାପଡ଼ିବା ପରେ ଜଣେ ଯୁବକ ଛେଳିଠାରୁ ଫାଇଲ ଆଣିବା ପାଇଁ ପଛେ ପଛେ ଦୌଡ଼ିଥିଲେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକେ ଏହା ଉପରେ ନାନା ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ବ୍ଲକ କାର୍ଯ୍ୟାଳୟରେ କିଛି ଲୋକ ପଞ୍ଚାୟତ ସେକ୍ରେଟାରୀଙ୍କ ସହ ବାହାରେ ବସିଛନ୍ତି। କିଛି କମର୍ଚାରୀ ବାହାରେ ବସି କାମ କରୁଛନ୍ତି। କାର୍ଯ୍ୟାଳୟ ଖାଲି ଥିବାରୁ ଛେଳି ତା’ ଭିତରେ ପଶି ଯାଇଥିଲା। ଛେଳିଟି ବାହାରିବା ସମୟରେ ତା’ ପାଟିରେ କିଛି ଫାଇଲପତ୍ର ଥିବା ଦେଖିବାକୁ ମିଳିଥିଲା। କର୍ମଚାରୀମାନେ ଏହା ଦେଖି ଡରି ଯାଇଥିଲେ। ଫାଇଲ ଆଣିବା ପାଇଁ ଜଣେ ଯୁବକ ଛେଳି ପଛରେ ଗୋଡ଼ାଇଥିଲେ। ମାତ୍ର ଛେଳି ତାଙ୍କୁ ଧରାଛୁଆଁ ଦେଇ ନ ଥିଲା। ଯୁବକ ଛେଳିକୁ ଧରିବା ବେଳକୁ ସେ ଅନେକ କାଗଜପତ୍ର ଖାଇ ସାରିଥିଲା। ଏହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

 

ଭିଡିଓ ଭାଇରାଲ ପରେ ଜଣେ ୟୁଜର ଲେଖିଛନ୍ତି, ଛେଳିଟି ବୋଧେ ଭୋକିଲା ଥିଲା। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଗାଁର ବିକାଶ ଛେଳି ପାଟିରେ। ଆଉ ଜଣେ ୟୁଜର ଲେଖିଛନ୍ତି,ଏହା ଏକ ବଡ଼ ଘୋଟାଲା।

ଅନ୍ୟପକ୍ଷରେ ଏହି ଭିଡିଓକୁ ନେଇ ବ୍ଲକ ବିକାଶ ଅଧିକାରୀ କହିଛନ୍ତି, ଏହା କାର୍ଯ୍ୟରେ ଅବହେଳା। ତେଣୁ ଯେଉଁମାନେ କାର୍ଯ୍ୟାଳୟ ଛାଡ଼ି ବାହାରେ ବସିଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ଭିତରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share