Categories: ଜାତୀୟ

ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣିଲେ, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀର ପ୍ରଦୂଷଣର ବିପଜ୍ଜନକ ପରିସ୍ଥିତି ସମ୍ପର୍କରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ରାଜଧାନୀ ଦିଲ୍ଲୀରେ ବର୍ଷା ପରେ ସୁପ୍ରିମକୋର୍ଟ କହିଛନ୍ତି, ଏଥିପାଇଁ ଦିଲ୍ଲୀ ସରକାରଙ୍କୁ ଧନ୍ୟବାଦ ଦେଇ ହେବ ନାହିଁ କିନ୍ତୁ କହିପାରିବା ଯେ ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣିଛନ୍ତି। ଗୁରୁବାର ରାତିରୁ ବର୍ଷା ପରେ ଦିଲ୍ଲୀରେ ପ୍ରଦୂଷଣ ସ୍ତରରେ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।
ତିନିଜଣ ବିଚାରପତିଙ୍କ ଏକ ବେଞ୍ଚ ସୁପ୍ରିମକୋର୍ଟରେ ପ୍ରଦୂଷଣ ମାମଲାର ଶୁଣାଣି କରୁଛନ୍ତି। ଏହି ସମୟ ମଧ୍ୟରେ ବେଞ୍ଚ କହିଛନ୍ତି ଯେ, ଗତ ୬ ବର୍ଷ ଧରି ଏହି ସମସ୍ୟା କେବଳ ଆଲୋଚନା ହେଉଛି, କୌଣସି ସମାଧାନ ମିଳୁନାହିଁ। ପ୍ରତିବର୍ଷ ସରକାର ଆମର ହସ୍ତକ୍ଷେପ ପରେ କିଛି କରୁଥିବା ଦେଖାଯାଏ।
ଦିଲ୍ଲୀ ସରକାରଙ୍କୁ ତାଗିଦ କରି କୋର୍ଟ କହିଛନ୍ତି,ଆମେ ପଚାରିଥିଲୁ କିଛି ସମୟ ପାଇଁ ଦିଲ୍ଲୀ ଆସୁଥିବା ଅନ୍ୟ ରାଜ୍ୟରୁ ଟ୍ୟାକ୍ସି ଉପରେ ପ୍ରତିବନ୍ଧକ ଲଗାଯାଇପାରିବ କି ନାହିଁ, ଆପଣ କହୁଛନ୍ତି ଯେ ଆପଣ ଟ୍ୟାକ୍ସି ପାଇଁ ମଧ୍ୟ ଅଡ୍‌-ଇଭେନ୍‌ ଲାଗୁ କରିବାକୁ ଚାହୁଁଛନ୍ତି। ଏଥିପାଇଁ ଆମର ଆଦେଶ କ’ଣ ଆବଶ୍ୟକ? ଆପଣ ନିଜ ଭାରକୁ କୋର୍ଟ ଉପରେ ରଖିବାକୁ ଚାହୁଁଛନ୍ତି।
ଶୁକ୍ରବାର ଦିଲ୍ଲୀ-ଏନସିଆରରେ ବର୍ଷା ପରେ ଲୋକମାନେ ପ୍ରଦୂଷଣରୁ ମୁକ୍ତି ପାଇଛନ୍ତି। ନିକଟରେ ପ୍ରଦୂଷଣର ବିପଦପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର କୃତ୍ରିମ ବର୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ, ତଥାପି ପ୍ରାକୃତିକ ବର୍ଷା ଏହି କାର୍ଯ୍ୟକୁ ସରକାରଙ୍କ ପାଇଁ ସହଜ କରିଛି।

Share