ଭଗବାନ ମୋ ସହ ଅଛନ୍ତି….ଆକ୍ରମଣ ପରେ ପ୍ରଥମଥର ମୁହଁ ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ଏକ ଜବରଦସ୍ତ ବିଜୟ ହାସଲ କରିବେ ବୋଲି ସେ କହିଛନ୍ତି। ୱିସ୍କୋସିନ ଅନ୍ତର୍ଗତ ମିଲୱାକ୍‌ରେ ରିପବ୍ଲିକାନ ନ୍ୟାଶନାଲ କନକ୍ଲେଭରେ ଟ୍ରମ୍ପ ଯୋଗ ଦେଇଥିଲେ। ଟ୍ରମ୍ପ ଆନୁଷ୍ଠାନିକ ଭାବରେ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତିଙ୍କ ନାମାଙ୍କନ ଗ୍ରହଣ କରିଛନ୍ତି। ଏହି ସମୟରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଚାରି ମାସ ଆମକୁ ଏକ ବଡ଼ ବିଜୟ ମିଳିବ। ସେ ପ୍ରତିଶ୍ରୁତି ଦେଇଛନ୍ତି, ସେ କେବଳ ଅଧା ଦେଶ ପାଇଁ ନୁହେଁ ସମଗ୍ର ଆମେରିକା ପାଇଁ ରାଷ୍ଟ୍ରପତି ହେବେ। ତାଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଟ୍ରମ୍ପ ଜାତୀୟ ସମ୍ମିଳନୀରେ ସେହି ଭୟାନକ ମୁହୂର୍ତ୍ତ ବିଷୟରେ କହିଥିଲେ। ସେ କହିଥିଲେ, ଚାରିଆଡେ ରକ୍ତ ପ୍ରବାହିତ ହେଉଛି, କିନ୍ତୁ ମୁଁ ନିଜକୁ ସୁରକ୍ଷିତ ମଣୁଛି କାରଣ ଭଗବାନ ମୋ ସହିତ ଅଛନ୍ତି। ଯଦି ମୁଁ ଶେଷ ମୁହୂର୍ତ୍ତରେ ମୁଣ୍ଡ ନୁଆଁଇ ନ ଥା’ନ୍ତି, ତେବେ ହତ୍ୟାକାରୀଙ୍କ ଗୁଳି ଟାର୍ଗେଟରେ ହୋଇଥାନ୍ତା ଏବଂ ମୁଁ ଆଜି ଆପଣଙ୍କ ସହ ନ ଥା’ନ୍ତି।

Share