‘ଈଶ୍ୱର ରାଜାଙ୍କୁ ରକ୍ଷା କରନ୍ତୁ ’

ଲଣ୍ଡନ, ୭।୫: ଗତବର୍ଷ ସେପ୍ଟେମ୍ବର ୮ରେ ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ପରଲୋକ ଘଟିଥିଲା। ଏଲିଜାବେଥଙ୍କ ପରେ କିଙ୍ଗ୍‌ ଚାଲର୍‌ସ ୩ୟ ହିଁ ଥିଲେ ବ୍ରିଟେନ୍‌ ରାଜା ହେବା ପାଇଁ ଦାବିଦାର। ପ୍ରିନ୍ସ ଅଫ୍‌ ଓ୍ବେଲ୍ସର ଭାବେ ବହୁ ବର୍ଷ ଦାୟିତ୍ୱରେ ରହିବା ପରେ ଏଲିଜାବେଥଙ୍କ ପରେ ଚାଲର୍‌ସ ୩ୟଙ୍କ ନାମ ରାଜା ଭାବେ ଘୋଷଣା କରାଗଲା। ଏହାପରଠାରୁ ଚାଲର୍‌ସଙ୍କ ନାମ ପୂର୍ବରୁ ଯୋଡ଼ି ହୋଇଗଲା କିଙ୍ଗ୍‌। ସ୍ତ୍ରୀ କାମିଲା ହୋଇଗଲେ କୁଇନ୍‌ ଅଫ୍‌ କନ୍‌ଶଟ୍‌। ପାଖାପାଖି ୭ ମାସ ବ୍ରିଟେନ୍‌ ରାଜକାର୍ଯ୍ୟ ତୁଲାଇବା ପରେ ଶନିବାର ଓ୍ବେଷ୍ଟମିନ୍‌ଷ୍ଟର ଆବେଠାରେ ରାଜା ଚାଲର୍‌ସ ୩ୟ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ କରାଯାଇଛି। ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ଚାଲିବ। ରାଜ୍ୟାଭିଷେକ ସାରି ବକିଂହାମ ପ୍ୟାଲେସକୁ ଫେରିବା ସମୟରେ ରାସ୍ତାକଡ଼ରେ ଛିଡ଼ା ରହିଥିବା ଚାଲର୍‌ସଙ୍କ ପ୍ରଶଂସକ ‘ଈଶ୍ୱର ରାଜାଙ୍କୁ ରକ୍ଷା କରନ୍ତୁ’ ବୋଲି ନାରା ଦେଇଥିଲେ।

Share