Categories: ରାଜ୍ୟ

ପ୍ରତ୍ୟକ୍ଷ ଦେବୀ ସିଦ୍ଧକାଳୀ

ସବୁଠି କାଳୀପୂଜା ପାଇଁ ଉତ୍ସବମୁଖର। ରବିବାରଠାରୁ ମା’ଙ୍କ ପୂଜା ଆରମ୍ଭ ହେଉଥିବା ବେଳେ କେନ୍ଦୁଝରର ବହୁ ପୁରାତନ ସିଦ୍ଧମଠଠାରେ ଥିବା ପ୍ରାୟ ୮୦୦ ବର୍ଷର ପୁରୁଣା ସିଦ୍ଧ କାଳୀ ମନ୍ଦିରରେ ମଧ୍ୟ କାଳୀପୂଜା ପାଇଁ ପ୍ରସ୍ତୁତି ସରିଛି। ଏଠାରେ ମା’ କାଳୀ ପ୍ରତ୍ୟକ୍ଷ ଦେବୀ ଭାବରେ ପୂଜା ପାଇ ଆସୁଛନ୍ତି। ବର୍ଷ ତମାମ ଭକ୍ତଙ୍କ ଭିଡ଼ ଜମୁଥିଲେ ହେଁ ବିଶେଷକରି କାଳୀପୂଜା ସମୟରେ ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ। ପୁରୁଣା ସିଦ୍ଧ କାଳୀ ମନ୍ଦିରରେ ପୂଜା ପାଉଥିବା ମା’ କାଳୀ ଚେନ୍‌ରେ ବନ୍ଧା ହୋଇ ପୂଜା ପାଉଥିବାରୁ ଏଠାକାର ମାହାତ୍ମ୍ୟ ସ୍ବତନ୍ତ୍ର।
ଚୂଳିଆ ପାହାଡ଼ ପାଦଦେଶରେ ଥିବା ସିଦ୍ଧ ସାଧନର ଏହି ପୀଠରେ ବହୁ ସିଦ୍ଧ ସାଧୁମାନେ ସାଧନା କରିବା ସହ ମନ୍ତ୍ରତନ୍ତ୍ର ବିଧି ବ୍ୟବସ୍ଥାରେ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ମା’ କାଳୀଙ୍କ ପ୍ରସ୍ତର ମୂର୍ତ୍ତି ରହିଥିବା ବେଳେ ପଥର ବହୁ ତଳକୁ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଏ। ମା’ଙ୍କ ଶରୀର କଙ୍କାଳ ସଦୃଶ ମୁଗୁନି ପଥରରେ ତିଆରି ହୋଇଥିବା ମନେହୁଏ। ଦଶ ଭୁଜରେ ଖଣ୍ଡା, କଟା ମୁଣ୍ଡ ଆଦି ଧରିଥିବା ବେଳେ ବାମହାତର ଆଙ୍ଗୁଠିକୁ ପାଟିରେ କାମୁଡ଼ିଥିବା ଦେଖିବାକୁ ମିଳେ। ଚେନ୍‌ରେ ବନ୍ଧା ହେବା ନେଇ କୌଣସି ସ୍ବତନ୍ତ୍ର କାରଣ ନ ଥିଲେ ହେଁ ମା’ଙ୍କ ପ୍ରକୋପ ଏତେ ଥିଲା ଯେ, ଭକ୍ତଙ୍କ ସୁରକ୍ଷା ପାଇଁ ସେତେବେଳେ ତାଙ୍କୁ ତନ୍ତ୍ରମନ୍ତ୍ର ଦ୍ୱାରା ଚେନ୍‌ରେ ବନ୍ଧା ଯାଇ ପୂଜା କରାଯାଉଥିଲା ବୋଲି କୁହାଯାଏ। ଏବେ ମଧ୍ୟ ବହୁ ଭକ୍ତ ଭୟରେ ମନ୍ଦିର ଭିତରକୁ ପ୍ରବେଶ କରି ପୂଜା କରନ୍ତି ନାହିଁ। ମନ୍ଦିର ପାର୍ଶ୍ୱରେ ଥିବା ଝରକାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି। କାଳୀପୂଜାରେ ଯଜ୍ଞ, ଚଣ୍ଡୀପାଠ ବିଳମ୍ବିତ ରାତି ପର୍ଯ୍ୟନ୍ତ ନୈଷ୍ଠିକତାର ସହ କରାଯାଇଥାଏ। ଶିବ ମହାକାଳ ବା କାଳେଶ୍ୱର ଭାବରେ ପୂଜା ପାଇ ଆସୁଛନ୍ତି। ଏଠାରେ ଭଗବାନ ଶିବ କ୍ଷମତାହୀନ ବୋଲି ପୂଜକ ସଞ୍ଜୟ ତ୍ରିପାଠୀ କୁହନ୍ତି। ରବିବାର କାଳୀପୂଜା ଅବସରରେ ସକାଳୁ ଅବକାଶ, ବାଲ୍ୟଭୋଗ ପରେ ଚଣ୍ଡୀପାଠ ଅନୁଷ୍ଠିତ ହେବ। ସେହିପରି ସାତ ଶହ ଶ୍ଳୋକରେ ଆହୂତ ହୋଇ ଚଣ୍ଡୀପାଠ କରାଯାଇ ହୋମ ହେବ। ଖେଚୁଡ଼ି ଭୋଗ ହୋଇ ରାତ୍ରିରେ ନିଶା ପୂଜା ହୋଇଥାଏ ବୋଲି ପୂଜକ କହିଛନ୍ତି। ସେହିପରି ସରାସ ଗ୍ରାମରେ ଥିବା ଦକ୍ଷିଣକାଳୀ ମନ୍ଦିରରେ ତିନି ଦିନ ବ୍ୟାପୀ ପୂଜା ପାଇଁ ପ୍ରସ୍ତୁତି ସରିଛି। ମାଧପୁର ଶ୍ୟାମାକାଳୀ ମନ୍ଦିରରେ କାଳୀପୂଜା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି।

-ରିପୋର୍ଟ: ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର

Share