Categories: ଖେଳ

ମେଡ୍‌ଭେଡେଭ ବିଦା, କ୍ୱାର୍ଟରରେ ଗଫ୍‌

ନ୍ୟୁୟର୍କ, ୬।୯ :ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱର ନମ୍ବର ଓ୍ବାନ୍‌ ଖେଳାଳି ଡାନିଲ ମେଡ୍‌ଭେଡେଭ ଚଳିତ ୟୁଏaସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ପ୍ରଥମଥର ପାଇଁ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଆମେରିକାର କୋକୋ ଗଫ୍‌। ଦର୍ଶକଭରା ଆର୍ଥର ଆଶେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ମ୍ୟାଚରେ ସେ ଚାଇନାର ଝାଙ୍ଗ୍‌ ଶୁଆଇଙ୍କୁ ପରାସ୍ତ କରିଛନ୍ତି। ଝାଙ୍ଗ୍‌ ଚ୍ୟାଲେଞ୍ଜ ଦେଇଥିଲେ ହେଁ ଶେଷରେ ଗଫ ୭-୫, ୭-୫ ସେଟ୍‌ରେ ବିଜୟୀ ହୋଇଥିଲେ। ୧୮ ବର୍ଷୀୟ ଏହି ଫ୍ଲୋରିଡ଼ା ଟେନିସ ତାରକା ବିଜୟୀ ହେବା ପରେ ଶୂନ୍ୟରେ ମୁଥ ମାରିବା ସହ ପରିହାସ ଛଳରେ ଅଙ୍ଗୁଳି ଦେଖାଇଥିଲେ। ଏଥିରେ ଉତ୍ସାହିତ ହୋଇ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଏତେ ଜୋରରେ କୋଳାହଳ କରିଥିଲେ ଯେ, ଝାଙ୍ଗ୍‌ ଦୁଇ କାନକୁ ହାତରେ ବନ୍ଦ କରି ଦେଇଥିଲେ। ଗତ ଜୁନ୍‌ରେ ଫ୍ରେଞ୍ଚ୍‌ ଓପନ ରନର-ଅପ୍‌ ହୋଇଥିବା ଗଫ୍‌ ଆମେରିକାର ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ଭାବେ ୟୁଏସ୍‌ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୦୯ରେ ୧୭ ବର୍ଷୀୟ ମେଲାନି ଓଡିନ ୟୁଏସ୍‌ ଓପନ କ୍ୱାର୍ଟରଫାଇନାଲ ଖେଳିଥିଲେ। ୧୨ତମ ସିଡ୍‌ ଗଫ୍‌ କ୍ୱାର୍ଟର ଫାଇନାଲରେ ବିଶ୍ୱର ୧୭ ନମ୍ବର ଖେଳାଳି ଫ୍ରାନ୍ସର କାରୋଲିନ ଗାର୍ସିଆଙ୍କୁ ଭେଟିବେ। ସିନ୍‌ସିନାଟି ହାର୍ଡକୋର୍ଟ ଟାଇଟଲ ଜିତି ଏଠାକୁ ଆସିଥିବା ଗାର୍ସିଆ ୨୯ ନମ୍ବର ଖେଳାଳି ଆମେରିକାର ଆଲିସନ ରିସ୍କେ-ଅମୃତରାଜଙ୍କୁ ୬-୪, ୬-୧ ସେଟ୍‌ରେ ପରାସ୍ତ କରିଥିଲେ। ତୃତୀୟ ରାଉଣ୍ଡରେ ସେରେନା ଓ୍ବିଲିୟମ୍ସଙ୍କୁ ପରାସ୍ତ କରିଥିବା ଆଜଲା ଟୋମଲଜାନୋଭିକ୍‌ କ୍ୱାର୍ଟର ଫାଇନାଲରେ ୫ ନମ୍ବର ଖେଳାଳି ଓ୍ବିମ୍ବେଲଡନ ରନର-ଅପ୍‌ ଓନ୍ସ ଜାବେଉରଙ୍କୁ ଭେଟିବେ। ଟୋମଲଜାନୋଭିକ୍‌ ୭-୬ (୮), ୬-୧ ସେଟ୍‌ରେ ଲିଉଡମିଲା ସାମ୍‌ସୋନୋଭା ଏବଂ ଜାବେଉର ୧୮ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଭେରୋନିକା କିଦରମେଟୋଭାଙ୍କୁ ୭-୬ (୧), ୬-୪ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ୨୯ ବର୍ଷୀୟ ଅଷ୍ଟ୍ରେଲିଆନ ଟୋମଲଜାନୋଭିକ୍‌ ତୃତୀୟ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମର କ୍ୱାର୍ଟର ଫାଇନାଲ ଖେଳିବାକୁ ଯାଉଛନ୍ତି।
ବିପର୍ଯ୍ୟୟ ଘଟାଇଲେ କିର୍ଗିଅସ
ଗତଥର ଟାଇଟଲ ହାସଲ କରିଥିବା ରୁଷିଆର ମେଡ୍‌ଭେଡେଭଙ୍କ ଅଭିଯାନ ଏଥର ପୁରୁଷ ସିଙ୍ଗଲ୍ସର ରାଉଣ୍ଡ ଅଫ୍‌ ୧୬ରୁ ଶେଷ ହୋଇଛି। ୨୩ତମ ସିଡ୍‌ ନିକ୍‌ କିର୍ଗିଅସ ୭-୬ (୧୧), ୩-୬, ୬-୩, ୬-୨ ସେଟ୍‌ରେ ମେଡ୍‌ଭେଡେଭଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଏକ ହାଇ କ୍ୱାଲିଟି ମ୍ୟାଚରେ ଅଷ୍ଟ୍ରେଲିଆର କିର୍ଗିଅସ ନିଜର ପାରମ୍ପରିକ ବ୍ୟବହାର ପାଇଁ ଚେତାବନୀ ପାଇଥିଲେ ହେଁ ଶେଷରେ ବିଜୟୀ ହେବାରେ ସକ୍ଷମ ହୋଇଥିଲେ। କ୍ୱାର୍ଟର ଫାଇନାଲରେ ସେ ୨୭ ନମ୍ବର ଖେଳାଳି କାରେନ ଖାଚାନୋଭଙ୍କୁ ଭେଟିବେ। ଅନ୍ୟଏକ ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ଖାଚାନୋଭ ୪-୬, ୬-୩, ୬-୧, ୪-୬, ୬-୩ ସେଟ୍‌ରେ ସ୍ପେନର ପାବ୍‌ଲୋ କାରେନୋ ବୁଷ୍ଟାଙ୍କୁ ହରାଇ ଦେଇଥିଲେ।

Share