ମୁମ୍ବାଇ,୪।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଅନେକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ହାଇପ୍ରୋଫାଇଲ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ଗତକାଲି ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହ ତୁଳନା କରିବା ପରେ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଆଜି ପୁଣିଥରେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି, ମୁମ୍ବାଇ ମାଟି ନ ମାଡିବାକୁ ମୋତେ ସାମାଜିକ ଗଣମାଧ୍ୟମରେ କିଛି ଲୋକ ମୋତେ ଧମକ ଦେଉଛନ୍ତି। ହେଲେ ମୁଁ ନିଷ୍ପତ୍ତି ନେଇଛି ଯେ ମୁମ୍ବାଇ ଯିବି। ଆସନ୍ତା ୯ରେ ମୁମ୍ବାଇସ୍ଥିତ ଏୟାରପୋର୍ଟରେ ପହଞ୍ଚିବି। ଏହାପରେ ମୁଁ ଟାଇମ ମଧ୍ୟ ପୋଷ୍ଟ କରିବି। ଯଦି କାହା ବାପାର ସାହସ ଅଛି, ତେବେ ମୋତେ ଅଟକାଇ ଦେଖାଅ ବୋଲି କଙ୍ଗନା କହିଛନ୍ତି।