ଗୋଲାମୁଣ୍ଡା,୨୫।୨(ଡି.ଏନ.ଏ.): ଗ୍ରୀଷ୍ମ ଋତୁ ଆସିନି ହେଲେ ଜଙ୍ଗଲରେ ଲାଗିଲାଣି ନିଆଁ। ନିଆଁ ବଢି ଚାଲିଥିବା ବେଳେ ଲିଭିବାର ନାଁ ନେଉନି। ଏବେଠାରୁ ନିଆଁକୁ ଆୟତ୍ତ କରା ନ ଗଲେ ଜଙ୍ଗଲରୁ ବହୁ ଗଛ ପୋଡି ନଷ୍ଟ ହୋଇଯିବ। କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କେଗାଁ ରେଞ୍ଜ ଅଧୀନ ବାଗମୁଣ୍ଡା ବିଟ ଗୋଜିଆ ଜଙ୍ଗଲ ଜଳୁଥିବା ବେଳେ ଏଥିପ୍ରତି ବିଭାଗ ନିଘାନାହିଁ। ସୂଚନାମତେ ଗୋଲାମୁଣ୍ଡା ବ୍ଲକ କେଗାଁ ରେଞ୍ଜ ଅଧୀନ ବାଗମୁଣ୍ଡା ବିଟ ଗୋଜିଆ ଜଙ୍ଗଲ ହୁ ହୁ ହୋଇ ଜଳୁଛି। ନିଆଁ ବ୍ୟାପୁଥିବା ଯୋଗୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଅନ୍ୟପଟେ ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ନଷ୍ଟ ହେବା ଦ୍ୱାରା କେବଳ ଗଛ ନୁହେଁ ଅନେକ ମୂଳ୍ୟବାନ ଔଷଧୀୟ ବୃକ୍ଷଲତା ସମେତ ବହୁ ଜଙ୍ଗଲ ଜନ୍ତୁ ଓ ପଶୁ ପକ୍ଷୀ ସବୁ ନଷ୍ଟ ହେବା ଆଶଙ୍କା କରାଯାଉଛି। ପ୍ରତେକ ଜିଲାରେ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରି ନିଆଁକୁ ଲିଭେଇବା ପାଇଁ ଟିମ ଗଠନ କରାଯାଇଥିବା ବେଳେ କେଗାଁ ରେଞ୍ଜ କାର୍ଯ୍ୟାଳୟଠାରୁ ଅତି ପାଖରେ ଥିବା ଜଙ୍ଗଲରେ ନିଆଁ ଲାଗୁଛି ଏବଂ ତାହା କେମତି ସେ ଜାଣି ପାରୁନାହାନ୍ତି ତାହା ଏବେ ବନ କର୍ମଚାରୀଙ୍କ ଖାମଖିଆଳି ମନୋଭାବକୁ ପଦାରେ ପକାଇଛି। ନିଆ ଲାଗିଲା କାରଣ ଜଣାପଡି ନ ଥିବା ବେଳେ ଅଞ୍ଚଳବାସୀ ବନ କର୍ମଚାରୀମାନଙ୍କୁ ବାରମ୍ବାର ଅବଗତ କଲେ ମଧ୍ୟ ନିଆଁ ଲିଭାଇବା ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଆମେ କେଗାଁ ରେଞ୍ଜରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ।

Share