Categories: ବାଣିଜ୍ୟ

୫୨ ହଜାର ଟପିପାରେ ସୁନା

ନୂଆଦିଲ୍ଲୀ,୨୭।୬ : କରୋନା ମାମଲା ଯେଭଳି ଭାବେ ବଢୁଛି ସେଭଳି ତା’ର ପ୍ରଭାବ ନିବେଶକଙ୍କ ମନୋଭାବ ଉପରେ ପଡୁଛି। ଏଭଳି ସ୍ଥିତିରେ ସାରା ଦୁନିଆର ନିବେଶକ ନିବେଶର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ସୁନାର ଚାହିଦା ବଢୁଥିବାରୁ ଦାମରେ ଦ୍ରୁତ ପରିବର୍ତ୍ତନ ଦେଖାଯାଉଛି। ସୁନା ଯଦି ଏଭଳି ଭାବେ ବଢିଚାଲେ ତେବେ ଆଗାମୀ ଦୀପାବଳି ବେଳକୁ ସୁନା ଦର ୧୦ ଗ୍ରାମ ପିଛା ୫୨ ହଜାର ଟପିଯିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ନୂଆଦିଲ୍ଲୀରେ ଶୁକ୍ରବାର ସୁନାଦର ୨୩୯ ଟଙ୍କା ବୃଦ୍ଧି ଘଟି ୧୦ ଗ୍ରାମ ପିଛା ଦର ୪୯,୦୫୮ ଟଙ୍କା ରହିଛି। ଗୁରୁବାର ଏହି ଦର ୪୮,୮୧୯ ଟଙ୍କା ରହିଥିଲା। ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢିବା ଯୋଗୁ ଦରରେ ପରିବର୍ତ୍ତନ ଆସିଥିବା ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ ପକ୍ଷରୁ କୁହାଯାଇଛି। ଏହି ସମୟରେ ରୁପା ଦର ୮୪୫ ଟଙ୍କା ବଢିଥିବା ଜଣାପଡିଛି। ଶୁକ୍ରବାର ନୂଆଦିଲ୍ଲୀରେ ରୁପା ଦର ୪୯,୩୦୦ ଟଙ୍କା ରହିଛି। ଏହା ଗୁରୁବାର ୪୮,୪୫୫ ଟଙ୍କା ରହିଥିଲା।

Share