Categories: ଖେଳ

ମହିଳା ଦଳକୁ ୫୦ ମିଟର ପିସ୍ତଲରେ ସ୍ବର୍ଣ୍ଣ

ବାକୁ (ଆଜରବୈଜାନ), ୨୬ା୮: ତିୟାନା, ସାକ୍ଷୀ ସୂର୍ଯ୍ୟବଂଶୀ ଓ କିରଶଦୀପ କୌରଙ୍କ ନେଇ ଭାରତୀୟ ଦଳ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ୨୦୨୩ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ୫୦ ମିଟର ପିସ୍ତଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହି ଟିମ୍‌ ଇଭେଣ୍ଟରେ ଭାରତର ଉପରୋକ୍ତ ୩ ଶୁଟର ମୋଟ ୧,୫୭୩ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଚାଇନା (୧,୫୬୭) ଦ୍ୱିତୀୟ ଏବଂ ମଙ୍ଗୋଲିଆ (୧,୫୬୬) ତୃତୀୟ ସ୍ଥାନରେ ରହିଛି। ଭାରତ ଏହି ଟୁର୍ନାମେଣ୍ଟରେ ୬ ସ୍ବର୍ଣ୍ଣ ଓ ୮ ବ୍ରୋଞ୍ଜ ସହ ମୋଟ ୧୪ ପଦକ ହାସଲ କରିବା ସହ ଚାଇନା ପଛକୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏଥିସହିତ ୪ଜଣ ଭାରତୀୟ ପ୍ୟାରିସ ଅଲିମ୍ପିକ କୋଟା ହାସଲ କରିଛନ୍ତି। ପରେ ତିୟାନା ବ୍ୟକ୍ତିଗତ ମହିଳା ୫୦ ମିଟର ପିସ୍ତଲ ଇଭେଣ୍ଟରେ ଏକ ବ୍ରୋଞ୍ଜ ପଦକ ପାଇଥିଲେ। ବ୍ୟକ୍ତିଗତ ପ୍ରତିଯୋଗିତାରେ ତିୟାନା ୫୩୩ ଶଟ୍‌ କରିଥିଲେ। ସାକ୍ଷୀ ୫୩୧ ଶଟ୍‌ ସହ ୫ମ ସ୍ଥାନରେ ରହିଥିବା ବେଳେ କରଣଦୀପ୍‌ ୫୦୯ ଶୁଟିଂ ସହ ଏକାଦଶ ସ୍ଥାନ ଅଧିକାର କରିଥିଲେ। ଭାରତ ଆହୁରି ମଧ୍ୟ ପୁରୁଷ ୫୦ମିଟର ପିସ୍ତଲରେ ଦୁଇଟି ବ୍ରୋଞ୍ଜ ପଦକ ଲାଭ କରିଛି। ବ୍ୟକ୍ତିଗତ ଇାଭେଣ୍ଟରେ ରବିନ୍ଦର ସିଂ ୫୫୬ ଶଟ୍‌ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେ କମଲଜିତ୍‌ ଓ ବିକ୍ରମ ଶିନ୍ଦେଙ୍କୁ ସାଥୀ କରି ମୋଟ ୧,୬୪୬ ସ୍କୋର ସହ ଟିମ୍‌ ବ୍ରୋଞ୍ଜ ହାସଲ କରିଥିଲେ। ଟୁର୍ନାମେଣ୍ଟର ଏହି ଫାଇନାଲ ଅଲିମ୍ପିକ ଇଭେଣ୍ଟରେ ଭାରତୀୟ ଯୋଡ଼ି ପୃଥ୍ବୀରାଜ ତୋନ୍ଦାଇମାନ ଏବଂ ମନୀଷା କିର୍‌ ୧୩୩ ଶଟ୍‌ ସହ ୨୨ତମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ କିନାନ୍‌ ଚେନାଇ ଓ ପ୍ରୀତି ରଜାକ୍‌ ସମାନ ସ୍କୋର କରିଥିଲେ ହେଁ ଚୂଡ଼ାନ୍ତ ହିସାବରେ ସେମାନଙ୍କୁ ୨୪ତମ ସ୍ଥାନ ମିଳିଥିଲା।

Share