ତାଲାବନ୍ଦ ଘରୁ ସୁନା ଗହଣା, ଟଙ୍କା ଲୁଟ୍‌

ବ୍ରହ୍ମପୁର ଅଫିସ,୯ା୬: ଲୁଟିଆ ଗ୍ୟାଙ୍ଗ ତୁଳସୀନଗର ୮ମ ଲାଇନର ପୁଣି ଏକ ତାଲାବନ୍ଦ ଘରେ କଳାକନା ବୁଲାଇଛନ୍ତି। ଗୃହକର୍ତ୍ତା ମହମ୍ମଦ ଜିଲାନିଙ୍କ ଅନୁପସ୍ଥିତିରେ ଲୁଟେରା ମାନେ ଲୁଟ କରିଥିବା ସେ ଅଭିଯୋଗ କରିଛନ୍ତି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି। ପୋଲିସ ସିସି ଟିଭି ଫୁଟେଜ ଜରିଆରେ ଲୁଟିଆ ଗ୍ୟାଙ୍ଗକୁ ଠାବ କରିବା ପାଇଁ ଯୋଜନା କରୁଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ତୁଳସୀନଗରରେ ରହୁଥିବା ସିଏଚ. ଭାସ୍କର ରାଓ ଆଚାରୀ ବିଶାଖାପାଟଣା ଚାଲିଯାଇଥିବା ବେଳେ ଲୁଟିଆ ଗ୍ୟାଙ୍ଗ ତାଙ୍କ ଘରୁ ୧୦ ଭରି ସୁନା ଗହଣା, ୧୦୦ ଗ୍ରାମର ଏକ ରୁପା ବିସ୍କୁଟ, ପ୍ରାୟ ୨୦ ହଜାର ଟଙ୍କା ଚୋରାଇ ନେଇଥିଲେ। ପୋଲିସ ଏସଂକ୍ରାନ୍ତରେ ମାମଲା ରୁଜୁ କରିଥିବା ବେଳେ ଲୁଟିଆ ଗ୍ୟାଙ୍ଗକୁ ଠାବ କରିପାରିନାହିଁ। ଅନ୍ୟପଟେ ଉକ୍ତ ଅଞ୍ଚଳରେ ପୁଣିଥରେ ଏକ ବଡ ଧରଣର ଚୋରି ଘଟଣା ଏବେ ସାମନାକୁ ଆସିଛି। ମହମ୍ମଦ ଜିଲାନି ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ । ତାଙ୍କ ପୁଅ ଓ ଝିଅ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ରୁହନ୍ତି। ସେ ଗତ ୪ଦିନ ତଳେ ଘରେ ତାଲା ପକାଇ ସ୍ତ୍ରୀଙ୍କ ସହ ମିଶି ପୁଅ-ଝିଅ ପାଖକୁ ବିଶାଖାପାଟଣା ଯାଇଥିଲେ। ଶୁକ୍ରବାର ସକାଳେ ଜିଲାନିଙ୍କ ଘରର ତାଲା ଭଙ୍ଗା ଯାଇଥିବା ବେଳେ ଘର କବାଟ ଖୋଲା ରହିଥିବା ତାଙ୍କ ଘରେ କାମ କରୁଥିବା ଚାକରାଣୀ ଦେଖିବାକୁ ପାଇଥିଲେ। ସେ ଏ ନେଇ ନିକଟରେ ରହୁଥିବା ଜିଲାନିଙ୍କ ଭାଇଙ୍କୁ ଖବର କରିଥିଲେ। ପରେ ଜିଲାନିଙ୍କୁ ଏ ନେଇ ତାଙ୍କ ଭାଇ ଜଣାଇବା ସହ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଦୁଇ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି।