ଗ୍ରହ ଶାନ୍ତି ଆଳରେ ସୁନା ଗହଣା ଚୋରି: ୨ ଗିରଫ

ମାଲକାନଗିରି,୧।୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଜେଲ ସାହିରେ ଜଣେ ବ୍ୟକ୍ତିଙ୍କ ଘରକୁ ଗ୍ରହଶାନ୍ତି ପୂଜା କରିବାକୁ ଆସି ୨ଜଣ ବ୍ୟକ୍ତି ସୁନା ଗହଣା ଚୋରି କରି ଧରାପଡିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି। ସେମାନେ ହେଲେ ପୂଜକ ସନ୍ତୋଷ ସାହୁ ଓ ମାନସ ସେନାପତି।
ଖବରରୁ ଜଣାପଡିଛି ଜେଲ ସାହିର ଶ୍ରୀଧର ପଟ୍ଟନାୟକଙ୍କ ଶାଶୁ ଓ ଶ୍ୱଶୁର କିଛି ଘରୋଇ ସମସ୍ୟାକୁ ନେଇ ଡାବୁଗାଁର ୨ ଜଣ ପୂଜକ ସନ୍ତୋଷ ଓ ମାନସଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟେ ତମ ଜ୍ୱାଇଁଙ୍କ ଜୀବନ ଯିବ। ତାଙ୍କ ମୃତ୍ୟୁ ସୁନିଶ୍ଚିତ ବୋଲି ଉଭୟଙ୍କୁ କହିଥିଲେ। ତେବେ ଏକ ପୂଜା କଲେ ସମସ୍ତ ଦୋଷ କଟିଯିବ ବୋଲି ସେମାନେ ପରାମର୍ଶ ଦେଇଥିଲେ। ଏହା ଶୁଣି ଶ୍ରୀଧରଙ୍କ ଶାଶୁ ଓ ଶ୍ୱଶୁର ଫୋନ କରି ପୂଜା କରିବାକୁ ତାଙ୍କୁ ପ୍ରବର୍ତ୍ତାଇଥିଲେ। ରବିବାର ସନ୍ଧ୍ୟାରେ ପୂଜକ ସନ୍ତୋଷ ଓ ମାନସଙ୍କୁ ସାଙ୍ଗରେ ଧରି ଶ୍ରୀଧରଙ୍କ ଶାଶୁ ଶ୍ୱଶୁର ମାଲକାନଗିରିରେ ପହଞ୍ଚତ୍ଥିଲେ। ଉଭୟେ ପ୍ରଥମେ ଶ୍ରୀଧର ଓ ତାଙ୍କ ପରିବାରକୁ ବିଭିନ୍ନ କଥା କହି ଭୟଭୀତ କରାଇଥିଲେ। ପରେ ଶ୍ରୀଧରଙ୍କ ଶୟନ କକ୍ଷରେ ପ୍ରାୟ ୫ ଘଣ୍ଟା ପୂଜା କରିଥିଲେ। ପୂଜା ସମୟରେ ପରିବାରର କୌଣସି ସଦସ୍ୟଙ୍କୁ ପୂଜକଦ୍ୱୟ ଉକ୍ତ କଠୋରିରେ ପ୍ରବେଶ କରିବାକୁ ଦେଇ ନ ଥିଲେ। ପୂଜା ଶେଷ ହେବା ପରେ ମଧ୍ୟ ସେଠାକୁ ପରିବାର ଲୋକଙ୍କୁ ଯିବାକୁ ବାରଣ କରି କଠୋରି ଭିତରକୁ ଗଲେ ଅଳ୍ପ ଦିନ ମଧ୍ୟରେ ଶ୍ରୀଧରଙ୍କ ମୃତ୍ୟୁ ହେବ ବୋଲି ଭୟଭୀତ କରାଇ ସେଠାରୁ ଚାଲି ଯାଇଥିଲେ। ଏହି କଥା ଶୁଣି ସମସ୍ତଙ୍କର ସନ୍ଦେହ ହେବାରୁ ସେମାନଙ୍କ ଯିବାପରେ କଠୋରି ଭିତରକୁ ଯାଇ ଦେଖିବା ବେଳକୁ ଆଲମିରା ଭଙ୍ଗାଯାଇଥିବା ଏବଂ ସେଥିରେ ଥିବା ସବୁ ଲୁଗା ଚାରିଆଡେ ବିଛାଡି ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଆଲମିରା ଭିତରେ ଥିବା ସୁନାହାର, କାନଫୁଲ, ଚେନ, ମୁଦି, ପାଉଁଜି ଆଦି ନ ଥିଲା। ପରେ ଶ୍ରୀଧର ଘରେ ସମସ୍ୟା ହୋଇଥିବା କହି ସନ୍ତୋଷ ଓ ମାନସଙ୍କୁ ଡକାଇଥିଲେ। ଉଭୟଙ୍କୁ ଚୋରି ସମ୍ପର୍କରେ ପଚାରିବାରୁ ସେମାନେ ଚୋରି କରି ନ ଥିବା କହିଥିଲେ। ପରେ ଏନେଇ ଶ୍ରୀଧର ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ କେସ୍‌ ନଂ. ୪୯/୨୨ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ସନ୍ତୋଷ ଓ ମାନସଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଚୋରି ସୁନା ଅଳଙ୍କାର ଜବତ କରିଥିଲା।