ଅଯୋଧ୍ୟା,୬ା୮:ଦୀର୍ଘ ୫୦୦ ବର୍ଷର ସ୍ବପ୍ନ ପୂରଣ ହୋଇଛି। ରାମମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ ସହ ଅଯୋଧ୍ୟା ଅଧ୍ୟାୟରେ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିହୋଇଛି। ଏବେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହାକୁ ନେଇ ବୁଧବାର ଅଯୋଧ୍ୟା ନଗରୀର ସମସ୍ତ ସ୍ଥାନରେ ଦୀପାବଳି ପାଳନ କରାଯାଉଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌସ୍ଥିତ ନିଜ ସରକାରୀ ବାସଭବନରେ ବାଣ ଫୁଟାଇ ଖୁସିବ୍ୟକ୍ତ କରିଛନ୍ତି। ଏହି ଅବସରରେ ଯୋଗୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ରାମମନ୍ଦିରର ଆଧାରଶିଳା ରଖାଯିବା ପରେ ନୂଆ ଯୁଗର ଆରମ୍ଭ ହୋଇଛି। ଏହି ଯୁଗ ହେଉଛି ରାମରାଜ୍ୟ ଓ ନୂଆ ଭାରତ ନିର୍ମାଣର ଯୁଗ। ଏହା ଜନକଲ୍ୟାଣ ପାଇଁ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଅନୁରୂପ ଭାରତ ନିର୍ମାଣର ଯୁଗ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ଅଯୋଧ୍ୟା ଜିଲାର ପ୍ରତ୍ୟେକ ଘର ସାମ୍ନାରେ ଲୋକେ ଦୀପ ଜାଳି ଉତ୍ସବ ପାଳନ କରିଛନ୍ତି। ସେପଟେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ସରଯୂ ନଦୀକୁଳରେ ପୂଜାର୍ଚ୍ଚନା କରି ଆରତୀ ଦେଇଥିଲେ। ଲାଉଡ୍ସ୍ପିକର ଓ ଲାଇଟ୍ ଳଗାଇ ଲୋକେ ଆନନ୍ଦର ପ୍ରରିପ୍ରକାଶ କରିଥିଲେ। ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ ହର୍ଷୋଲ୍ଲାସର ପରିବେଶ ଦେଖିବାକୁ ମିଳିଥିଲା। ଏପରି କି ବିଦେଶରେ ରହୁଥିବା ଭାରତୀୟମାନେ ମଧ୍ୟ ଭିନ୍ନ ଭିନ୍ନ ଭାବେ ଉତ୍ସବ ମନାଇ ଭୂମି ପୂଜନ ଉତ୍ସବକୁ ସ୍ବାଗତ ଜଣାଇଥିଲେ।
ଗୋଟିଏ ମଞ୍ଚରେ ମୋଦି-ଭାଗବତ
୨୦୧୪ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ଏକାଠି ଗୋଟିଏ ମଞ୍ଚରେ ପ୍ରଥମଥର ଦେଖିବାକୁ ମିଳିଛି। ଏହି ୬ ବର୍ଷ ମଧ୍ୟରେ କେବେ ଏହି ଦୁଇ ନେତାଙ୍କୁ ଏକାଠି ଦେଖିବାକୁ ମିଳି ନ ଥିଲା। ଅଯୋଧ୍ୟାରେ ଅନୁଷ୍ଠିତ ଶ୍ରୀରାମ ମନ୍ଦିର ଭୂମିପୂଜା ଉତ୍ସବ ଏହି ନିଆରା ମୁହୂର୍ତ୍ତ ଆଣିଦେଇଛି। ପ୍ରଧାନମନ୍ତ୍ରୀ ହେବା ପରଠାରୁ ଭାଗବତଙ୍କଠାରୁ ମୋଦି ଦୂରେଇ ରହୁଥିଲେ। ଭୂମିପୂଜାରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେବା ଲାଗି ଭାଗବତଙ୍କୁ ଆମନ୍ତ୍ରଣ କରାଯିବା ପରେ ସେ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ବସିବାର ସୌଭାଗ୍ୟ ଅର୍ଜନ କରିଥିଲେ। ପ୍ରଧାନମନ୍ତ୍ରୀ ଭୂମିପୂଜା କରିଥିବା ବେଳେ ସେଠାରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ, ଭିଏଚ୍ପି ନେତା ସ୍ବର୍ଗତ ଅଶୋକ ସିଂଘଲଙ୍କ ପୁତୁରା ସଲିଲ୍ ସିଂଘଲ ଓ ତାଙ୍କ ସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ମୋଦିଙ୍କ ୩ ରେକର୍ଡ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ରେକର୍ଡ କରିଛନ୍ତି। ୨୮ ବର୍ଷ ପରେ ମୋଦି ବୁଧବାର ରାମମନ୍ଦିର ଶିଳାନ୍ୟାସ ପାଇଁ ଅଯୋଧ୍ୟାରେ ପହଞ୍ଚତ୍ଥିଲେ। ରାମ ଜନ୍ମଭୂମି ଗସ୍ତ କରିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ। ସେହିପରି ହନୁମାନ ଗଡ଼ିକୁ ଯାଇ ଭଗବାନ ହନୁମାନଙ୍କ ଆଶୀର୍ବାଦ ନେବା ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଥମ ଘଟଣା। ଦେଶର ସାଂସ୍କୃତିକ ଐତିହ୍ୟର ପ୍ରତୀକ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେବା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଥମ ଘଟଣା। ୧୯୯୨ରେ ମୋଦି ଅଯୋଧ୍ୟା ଯାଇ ଫୈଜାବାଦର ଜିଆଇସି ଗ୍ରାଉଣ୍ଡରେ ମୁରଲୀ ମନୋହର ଜୋଷୀଙ୍କ ସହ ଏକ ସଭାକୁ ଉଦ୍ବୋଧନ ଦେଇଥିଲେ। ତତ୍କାଳୀନ ଭାଜପା ମୁଖ୍ୟ ଜୋଷୀଙ୍କ ନେତୃତ୍ୱରେ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରାରେ ମୋଦି ଆବାହକ ଥିଲେ।
‘ରାମମନ୍ଦିର ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିଛି’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ବୁଦ୍ଧିମତ୍ତା ରାମମନ୍ଦିର ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ କରିବା ସହିତ ସ୍ବପ୍ନକୁ ପୂରଣ କରିଛି ବୋଲି ଭୂମିପୂଜନ ଉତ୍ସବରେ ଯୋଗଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଉପାୟରେ କିପରି ସମସ୍ୟାର ସମାଧାନ ହୋଇପାରେ ମୋଦିଙ୍କ ନେତୃତ୍ୱରେ ଭାରତୀୟ ଗଣତନ୍ତ୍ର ଓ ବିଚାର ବ୍ୟବସ୍ଥାର ଶକ୍ତି ବିଶ୍ୱକୁ ଦେଖାଇଦେଇଛି ବୋଲି ସେ କହିଥିଲେ। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ୫୦୦ ବର୍ଷ ହେଲା ଲୋକେ ଉଦ୍ୟମ କରିଆସୁଥିଲେ। ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟ ରାମ ଜନ୍ମଭୂମି ମାମଲାର ସମାଧାନ କରି ବିବାଦୀୟ ସ୍ଥାନରେ ରାମମନ୍ଦିର ନିର୍ମାଣ କରିବାକୁ ଓ ମୁସଲମାନଙ୍କ ପାଇଁ ଅନ୍ୟତ୍ର ମସ୍ଜିଦ ନିର୍ମାଣ ଲାଗି ୫ ଏକର ଜମି ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ।
‘ସଂକଳ୍ପ ପୂରଣ ହୋଇଛି’
ଦୀର୍ଘ ୩ ଦଶନ୍ଧିର ସଂଘର୍ଷ ପରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି। ଏହା ଆତ୍ମତୃପ୍ତିର ଏକ ଅବସର। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଓ ଅନ୍ୟ ସମଭାବାପନ୍ନ ସଂଗଠନଗୁଡ଼ିକର ୩୦ ବର୍ଷର ଉଦ୍ୟମ ଭବ୍ୟ ରାମମନ୍ଦିର ନିର୍ମାଣ ସଂକଳ୍ପକୁ ପୂରଣ କରିଥିବା ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ଭୂମିପୂଜନ ଉତ୍ସବରେ ଯୋଗଦେଇ ଭାଗବତ କହିଥିଲେ, ରାମମନ୍ଦିର ଆନ୍ଦୋଳନକୁ ଭାଜପାର ସର୍ବବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ସ୍ବର୍ଗତ ବିଶ୍ୱହିନ୍ଦୁ ପରିଷଦ ନେତା ଏଶୋକ ସିଂଘଲ ଓ ଅନ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆଜିର ଦିନ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆବଶ୍ୟକ ଆସ୍ଥା ଆଣିଛି ବୋଲି ଆର୍ଏସ୍ଏସ୍ ମୁଖ୍ୟ କହିଥିଲେ। ସଙ୍କଳ୍ପ ପୂରଣ ପାଇଁ ଆମକୁ ୨୦ରୁ ୩୦ ବର୍ଷ ସଂଘର୍ଷ କରିବାକୁ ପଡ଼ିବ ବୋଲି ତତ୍କାଳୀନ ଆର୍ଏସ୍ଏସ୍ ମୁଖ୍ୟ ବାଲାସାହେବ ଦେଓରାସ କହିଥିବା ଭାଗବତ ମନେପକାଇଦେଇଥିଲେ। ରାମମନ୍ଦିର ପାଇଁ ଅନେକଙ୍କର ତ୍ୟାଗ ରହିଛି। ହେଲେ ବର୍ତ୍ତମାନର କରୋନା ସ୍ଥିତି ପାଇଁ ସେମାନେ ଉତ୍ସବରେ ଯୋଗଦେଇ ପାରିନାହାନ୍ତି। ଆଡଭାନିଜୀ ଘରେ ରହି ଏହି ଉତ୍ସବକୁ ଦେଖୁଥିବେ ବୋଲି ଭାଗବତ କହିଥିଲେ।
‘ମନ୍ଦିର ନିର୍ମାଣ ବିଶ୍ୱର ନିର୍ମାଣ’
ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଭୂମିପୂଜନ ଶେଷ ହେବା ପରେ ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ନୃତ୍ୟଗୋପାଳ ଦାସ କହିଥିଲେ, ମନ୍ଦିରର ନିର୍ମାଣ ବିଶ୍ୱର ନିର୍ମାଣ, ଏହା ଜନଜୀବନର ନିର୍ମାଣ। ମନ୍ଦିର କେବେ ନିର୍ମାଣ ହେବ ବୋଲି ତାଙ୍କୁ ଅନେକ ସମୟରେ ଲୋକେ ପ୍ରଶ୍ନ କରୁଥିଲେ। ଉତ୍ତରରେ ସେ କହିଥିଲେ, ଏବେ କେନ୍ଦ୍ରରେ ମୋଦି ଓ ଉତ୍ତରପ୍ରଦେଶରେ ଯୋଗୀ ଅଛନ୍ତି। ଏହି ସମୟରେ ଯଦି ମନ୍ଦିର ନିର୍ମାଣ ନ ହେବ ତେବେ ଆଉ କେବେ ହେବ ବୋଲି ସେ କହିଥିଲେ। ଖୁବ୍ଶୀଘ୍ର ଭକ୍ତମାନଙ୍କ ମନୋକାମନା ପୂରଣ ହେବାକୁ ଯାଉଛି। ଯେତେ ଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ ଏହା ସମସ୍ତଙ୍କର ଇଚ୍ଛା। ପ୍ରଧାନମନ୍ତ୍ରୀ ଏଥିପାଇଁ ଉଦ୍ୟମ କରନ୍ତୁ ଯେପରି ଆମେ ସ୍ବଚକ୍ଷୁରେ ଦିବ୍ୟ ଓ ଭବ୍ୟ ମନ୍ଦିର ଦେଖିପାରିବା ବୋଲି ନୃତ୍ୟଗୋପାଳ କହିଥିଲେ।
ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ ଅଗଷ୍ଟ ୫
ଅଯୋଧ୍ୟାରେ ବହୁ ପ୍ରତିକ୍ଷିତ ରାମ ମନ୍ଦିରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବୁଧବାର ସମ୍ପନ୍ନ ହୋଇଛି। ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଶିଳାନ୍ୟାସ ଯୋଗୁ ସମସ୍ତ ଦେଶବାସୀ ଖୁସି ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ରାମାନନ୍ଦ ସାଗରଙ୍କ ବହୁଚର୍ଚ୍ଚିତ ଧାରାବାହିକ ରାମାୟଣରେ ରାମ ଭୁମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ ଟୁଇଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ଅଗଷ୍ଟ ୫ ଇତିହାସର ସର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ସାରା ବିଶ୍ୱରେ ବାସ କରୁଥିବା ସମସ୍ତ ରାମ ଭକ୍ତଙ୍କ ସ୍ବପ୍ନ ପୂରଣ ହୋଇଛି। ସମସ୍ତଙ୍କୁ ମୋର ଅଭିନନ୍ଦନ ଏବଂ ଶୁଭେଚ୍ଛା ବୋଲି ଅରୁଣ ଟୁଇଟ ମାଧ୍ୟମରେ ପ୍ରକାଶ କରିଛନ୍ତି
ଘଟଣାକ୍ରମ..
୧୫୨୮: ମୋଗଲ ସମ୍ରାଟ ବାବରଙ୍କ କମାଣ୍ଡର ମୀର ବାକି ବାବ୍ରି ମସ୍ଜିଦ ନିର୍ମାଣ କରିଥିଲେ।
୧୯୪୯: ବିବାଦୀୟ ଢାଞ୍ଚା ବାହାରେ କେନ୍ଦ୍ରୀୟ ଗମ୍ବୁଜ ତଳେ ରାମ ଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଗଲା।
୧୯୫୦: ରାମ ଲାଲାଙ୍କ ମୂର୍ତ୍ତି ପୂଜା ପାଇଁ ଅଧିକାର ଦାବିକରି ଫୈଜାବାଦ ଜିଲା କୋର୍ଟରେ ଗୋପାଳ ସିମ୍ଲା ବିଶାରଦ ଏକ ସୁଟ୍ ଫାଇଲ୍ କରିଥିଲେ।
୧୯୫୯: ବିବାଦୀୟ ଭୂମିର ଦଖଲ ପାଇଁ ନିର୍ମୋହୀ ଆଖଡ଼ା ପକ୍ଷରୁ ଏକ ସୁଟ୍ ଫାଇଲ କରାଯାଇଥିଲା।
୧୯୮୯ ଅଗଷ୍ଟ ୧୪: ବିବାଦୀୟ ଢାଞ୍ଚାକୁ ନେଇ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଆଲ୍ଲାହବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
୧୯୯୨ ଡିସେମ୍ବର ୬: ବାବ୍ରି ମସ୍ଜିଦ ଭଙ୍ଗାଗଲା।
୧୯୯୩ ଏପ୍ରିଲ ୩: ବିବାଦୀୟ ଅଞ୍ଚଳରେ ଭୂମି ଅଧିଗ୍ରହଣ ପାଇଁ କେନ୍ଦ୍ର ସରକାର ‘ଅଯୋଧ୍ୟାରେ ନିର୍ଦ୍ଦିଷ୍ଟ ଅଞ୍ଚଳ ଅଧିଗ୍ରହଣ ଆଇନ’ ଆଣିଲେ।
-ଏହି ଆଇନକୁ ଚ୍ୟାଲେଞ୍ଜ କରି ଇସ୍ମାଇଲ୍ ଫାରୁକିଙ୍କ ସମେତ ଅନେକ ପକ୍ଷ ଆଲ୍ଲାହବାଦ ହାଇକୋର୍ଟରେ ଏକାଧିକ ରିଟ୍ ପିଟିଶନ ଦାଏର କରିଥିଲେ।
-ହାଇକୋର୍ଟରେ ବିଚାରାଧୀନ ସମସ୍ତ ରିଟ୍ ପିଟିଶନକୁ ଅନୁଚ୍ଛେଦ ୧୩୯ଏ ଅନୁସାରେ ସୁପ୍ରିମକୋର୍ଟ ସ୍ଥାନାନ୍ତର କରି ନିଜ ପାଖକୁ ନେଲେ।
୧୯୯୪ ଅକ୍ଟୋବର ୨୪: ମସ୍ଜିଦ ଇସ୍ଲାମର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଇସ୍ମାଇଲ୍ ଫାରୁକି ମାମଲାରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ।
୨୦୧୦ ସେପ୍ଟେମ୍ବର ୩୦: ୨.୭୭ ଏକର ପରିମିତ ବିବାଦୀୟ ଭୂମିକୁ ସୁନ୍ନି ଓ୍ବାକଫ୍ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମ ଲାଲାଙ୍କ ମଧ୍ୟରେ ସମାନ ତିନିଭାଗରେ ବଣ୍ଟନ ପାଇଁ ହାଇକୋର୍ଟ ୨:୧ ସଂଖ୍ୟାଗରିଷ୍ଠତାରେ ରାୟ ଦେଲେ।
୨୦୧୧ ମେ ୯: ଅଯୋଧ୍ୟା ଜମି ବିବାଦ ନେଇ ହାଇକୋର୍ଟ ରାୟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କଲେ।
୨୦୧୭ ମାର୍ଚ୍ଚ ୨୧: କୋର୍ଟ ବାହାରେ ବୁଝାମଣା ଜରିଆରେ ସମାଧାନ ପାଇଁ ସିଜେଆଇ ଜେ.ଏସ୍. ଖେହର ପ୍ରସ୍ତାବ ଦେଲେ।
ଅଗଷ୍ଟ ୭: ଆଲ୍ଲାହବାଦ ହାଇକୋର୍ଟଙ୍କ ୧୯୯୪ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୩ ଜଣିଆ ଖଣ୍ଡପୀଠ ଗଠନ କଲେ।
୨୦୧୯ ଜାନୁୟାରୀ ୪: ସୁପ୍ରିମକୋର୍ଟରେ ଗଠନ କରାଯାଇଥିବା ଏକ ଉପଯୁକ୍ତ ଖଣ୍ଡପୀଠରେ ଜାନୁୟାରୀ ୧୦ରେ ଜମି ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ସ୍ଥିର ପାଇଁ ରାୟ ଶୁଣାଇବାକୁ ଧାର୍ଯ୍ୟ କରାଗଲା।
ଜାନୁୟାରୀ ୨୯: ବିବାଦୀୟ ସ୍ଥଳ ଚତୁଃପାର୍ଶ୍ୱରେ ଥିବା ୬୭ ଏକର ଅଧିଗୃହୀତ ଜମିକୁ ମୂଳ ମାଲିକମାନଙ୍କୁ ଫେରସ୍ତ କରିବା ଲାଗି ଅନୁମତି ପ୍ରଦାନ ସକାଶେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେନ୍ଦ୍ର ସରକାର।
ଫେବୃୟାରୀ ୨୬: ସୁପ୍ରିମକୋର୍ଟ ମଧ୍ୟସ୍ଥତା ପାଇଁ ପରାମର୍ଶ ଦେଲେ। ଏହାସହ କୋର୍ଟ-ନିଯୁକ୍ତ ମଧ୍ୟସ୍ଥଙ୍କ ଜରିଆରେ ସମାଧାନ ପାଇଁ ମାର୍ଚ୍ଚ ୫ରେ ନିଷ୍ପତ୍ତି ନେବାକୁ ଧାର୍ଯ୍ୟ କଲେ।
ମାର୍ଚ୍ଚ ୮: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଫ୍. ଏମ୍. କୈଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ମଧ୍ୟସ୍ଥ କମିଟି ଜରିଆରେ ଜମି ବିବାଦର ସମାଧାନ ପାଇଁ ସ୍ଥିର କରାଗଲା।
ଏପ୍ରିଲ ୯: ବିବାଦୀୟ ସ୍ଥଳର ଚାରିପଟେ ଅଧିଗୃହୀତ ଜମିକୁ ମୂଳ ମାଲିକଙ୍କୁ ଫେରାଇବା ପାଇଁ କେନ୍ଦ୍ରର ପ୍ରସ୍ତାବକୁ ନିର୍ମୋହୀ ଆଖଡ଼ା ବିରୋଧ କଲା।
ଅଗଷ୍ଟ ୨: ମଧ୍ୟସ୍ଥତା ବିଫଳ ହେବା ପରେ ଅଗଷ୍ଟ ୬ରୁ ଦୈନନ୍ଦିନ ଶୁଣାଣି ପାଇଁ ସୁପ୍ରିମକୋର୍ଟ ସ୍ଥିର କଲେ।
ଅକ୍ଟୋବର ୪: ଅକ୍ଟୋବର ୧୭ରେ ଶୁଣାଣି ଶେଷକରି ନଭେମ୍ବର ୧୭ ସୁଦ୍ଧା ରାୟ ଦେବାକୁ ଅଦାଲତ ଧାର୍ଯ୍ୟ କଲେ।
ଅକ୍ଟୋବର ୧୬: ସୁପ୍ରିମକୋର୍ଟ ସାମ୍ବିଧାନିକ ପୀଠ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ।
ନଭେମ୍ବର ୯: ୨.୭୭ ଏକର ବିବାଦୀୟ ଭୂମିର ମାଲିକାନା ସ୍ବତ୍ୱ ରାମ ଲାଲା ପକ୍ଷଙ୍କୁ ହସ୍ତାନ୍ତର ସହ ସେଠାରେ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଏକ ଟ୍ରଷ୍ଟ ଗଠନ କରି ରୂପରେଖ ପ୍ରସ୍ତୁତ କରିବେ ବୋଲି ଦେଶର ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ। ଏହାସହ ମସ୍ଜିଦ ନିର୍ମାଣ ପାଇଁ ଏକ ପ୍ରମୁଖ ସ୍ଥାନରେ ୫ ଏକର ପରିମିତ ଉପଯୁକ୍ତ ଜମି ସୁନ୍ନି ଓ୍ବାକଫ୍ ବୋର୍ଡକୁ ହସ୍ତାନ୍ତର ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୨୦୨୦ ଫେବୃୟାରୀ ୫: ରାମମନ୍ଦିର ନିର୍ମାଣ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଟ୍ରଷ୍ଟ ଗଠନ ନେଇ ପାର୍ଲାମେଣ୍ଟରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ।