୨୦୨୪ରେ ସୁନା ଦାମ୍ ୭୦,୦୦୦ ଟଙ୍କା ଛୁଇଁବା ସମ୍ଭାବନା, ଆକଳନ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୩୧।୧୨: ବଢିଚାଲିଥିବା ସୁନା ଦାମ୍ ବର୍ଷ ୨୦୨୪ରେ ୧୦ ଗ୍ରାମ ପ୍ରତି ୭୦ ହଜାର ଟଙ୍କା ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବର୍ତ୍ତମାନ ବିଶ୍ୱରେ ଲାଗି ରହିଥିବା ଅସ୍ଥିରତା ଏବଂ ଧିମା ଅର୍ଥନୀତି ମଧ୍ୟରେ ଭାରତୀୟ ଟଙ୍କା ସ୍ଥିର ଥିବା କାରଣରୁ ସୁନାର ଦାମ୍ ଭାରତରେ ପ୍ରତି ୧୦ ଗ୍ରାମକୁ ୬୩,୦୬୦ ଟଙ୍କା ରହିଛି। ଯେତେବେଳେ କି ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ୮୩ ଟଙ୍କା ରହିଛି।

ଚଳିତ ବର୍ଷ ଡିସେମ୍ବର ମାସରେ ମଧ୍ୟପ୍ରାଚ୍ୟର ଅସ୍ଥିରତା କାରଣରୁ ସୁନାର ଦାମ୍ ଅହେତୁକ ଭାବେ ବୃଦ୍ଧି ପାଇଥିଲା। ତେବେ ଚଳିତ ବର୍ଷ ସୁନାର ଦାମ୍ ନିରନ୍ତର ଭାବେ ଅସ୍ଥିର ରହିଥିଲା ବେଳେ ମେ’ ୪ ତାରିଖରେ ୧୦ ଗ୍ରାମ ସୁନା ପ୍ରତି ୬୧,୮୪୫ ଟଙ୍କା ହୋଇଥିଲା, ଯାହା ସର୍ବକାଳୀନ ସର୍ବାଧିକ ଥିଲା। ଏହାପରେ ନଭେମ୍ବର ମାସରେ ସୁନା ଦର ୧୦ ଗ୍ରାମ ପ୍ରତି ୬୧,୯୧୪ ଟଙ୍କାରେ ପହଞ୍ଚି ନୂଆ ରେକର୍ଡ କରିଥିଲା। ତେବେ ଏହି ପ୍ରକ୍ରିୟା ଏତିକିରେ ଅଟକି ନଥିଲା, ଡିସେମ୍ବର ୪ ତାରିଖରେ ସୁନାର ଦାମ୍ ଭାରତରେ ୨୪ ହାଜର ଟଙ୍କା ପାର କରି ୧୦ ଗ୍ରାମକୁ ୬୪,୦୬୩ ଟଙ୍କା ହୋଇଥିଲା।

ତେବେ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ୨୦୨୪ ରେ ଡଲାର ଆହୁରି ଶକ୍ତିଶାଳୀ ହେବ ଏବଂ ଯଦି ଟଙ୍କା ସ୍ଥିର ରହିବ ତେବେ ସୁନା ଦାମ୍ ପ୍ରାୟ ୭୦,୦୦୦ ଟଙ୍କା ସ୍ତରରେ ପହଞ୍ଚିବାର ସମ୍ଭାବନା ରହିଛି। ଯେହେତୁ ଆସନ୍ତା ବର୍ଷ ଭାରତରେ ନିର୍ବାଚନ ରହିଛି, ବିଦେଶ ନିବେଶକ ସେମାନଙ୍କ ତାଙ୍କ ଭାରତୀୟ ବଜାରରୁ ଅପସରି ଯିବା ଫଳରେ ଭାରତୀୟ ଟଙ୍କା ଦୁର୍ବଳ ହୋଇପାରେ। ଯେଉଁ କାରଣରୁ ସୁନା ପାଇଁ ଘରୋଇ ମୂଲ୍ୟକୁ ଆହୁରି ବଢିବ ବୋଲି ସେମାନେ କହିଛନ୍ତି।

“ଆମେରିକାର ଫେଡେରେଲ ରିଜର୍ଭ ସୁଧ ହାର ହ୍ରାସ କରିବା ସହ ଭୌଗଳିକ ରାଜନୈତିକ ତିକ୍ତତା ଜାରି ରହିଲେ ଦୁର୍ବଳ ଟଙ୍କା ସୁନା ମୂଲ୍ୟକୁ ଆହୁରି ବୃଦ୍ଧି କରିବ, ଯାହା ୨୦୨୪ ରେ ସୁନା ଦାମ୍ ୬୮,୦୦୦-୭୦,୦୦୦ ଟଙ୍କା ଛୁଇଁବାର ସମ୍ଭାବନା ରହିଛି। ଅଧିକ ମୂଲ୍ୟ ୨୦୨୪ ରେ ବିକ୍ରୟ ଉପରେ ଅଧିକ ପ୍ରଭାବ ପକାଇବ ଏବଂ ବ୍ୟବସାୟ ୨୦୨୩ ଭଳି ସମାନ ସ୍ତରରେ ରହିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ତଥ୍ୟକୁ ଦେଖିଲେ ବର୍ଷ ୨୦୨୨ ତୁଳନାରେ ୨୦୨୩ରେ ସୁନା ବିକ୍ରିରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲା। କିନ୍ତୁ ସୁନାରେ ନିବେଶ ଚାହିଦା ବୃଦ୍ଧି ପାଇଥିଲା।

 

Share