Categories: ଖେଳ

କିଶୋର, ଶ୍ରାବଣୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୧।୯ (ତପନ ସ୍ବାଇଁ): ଚଣ୍ଡିଗଡ଼ର ସେକ୍ଟର-୭ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାର ଆରମ୍ଭ ହୋଇଥିବା ଇଣ୍ଡିଆନ ଗ୍ରାଁ ପ୍ରି-୫ର ପ୍ରଥମ ଦିବସରେ ଓଡ଼ିଶା ଜାଭେଲିନ ତାରକା କିଶୋର କୁମାର ଜେନା ଓ ମହିଳା ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କିଶୋର ପୁରୁଷ ଜାଭେଲିନଥ ଥ୍ରୋ ଇଭେଣ୍ଟରେ ପ୍ରଥମ ଉଦ୍ୟମରେ ୮୨.୫୩ ମିଟର ଥ୍ରୋ କରିଥିଲେ। ଶେଷରେ ତାହା ସ୍ବର୍ଣ୍ଣ ପଦକ ଜିତିବାକୁ ପର୍ଯ୍ୟାପ୍ତ ହୋଇଥିଲା।

ସେ ପରବର୍ତ୍ତୀ ୩ ଉଦ୍ୟମରେ ଯଥାକ୍ରମେ ୮୦.୭୪, ୮୧.୫୬ ଓ ୭୮.୩୯ ମିଟର ଥ୍ରୋ କରିଥିବାବେଳେ ୫ମ ଉଦ୍ୟମ ଫାଉଲ୍‌ ରହିଥିଲା। ୬ଷ୍ଠ ତଥା ଅନ୍ତିମ ଉଦ୍ୟମରେ ସେ ୭୮.୯୮ ମିଟର ଦୂରକୁ ଜାଭେଲିନ୍‌ ଥ୍ରୋ କରି ପାରିଥିଲେ। ଉତ୍ତର ପ୍ରଦେଶର ବିକାଶ ଯାଦବ ୭୨.୮୮ ମିଟର ସହିତ ରୌପ୍ୟ ଏବଂ ରାଜସ୍ଥାନର ହରିଶ କୁମାର ୭୧.୭୮ ମିଟର ଥ୍ରୋ କରି ବ୍ରୋଞ୍ଜ ପଦକ ପାଇଥିଲେ। ପ୍ରକାଶ ଯୋଗ୍ୟ ଯେ, ନିକଟରେ ବିଶ୍ୱ ଚାମ୍ପିୟନଶିପ୍‌ରେ ନିଜ ପ୍ରଥମ ପଦାର୍ପଣରେ ୫ମ ସ୍ଥାନ ଅଧିକାର କରି କିଶୋର ପ୍ରଶଂସା ସାଉଁଟିଥିଲେ।

ମହିଳା ୧୦୦ ମିଟର ରେସ୍‌ର ‘ଏ’ ଓ ‘ବି’ ରେସ୍‌ ମଧ୍ୟରେ ଶ୍ରାବଣୀ ସବୁଠାରୁ କମ୍‌ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ରେସ୍‌ ‘ବି’ରେ ଶ୍ରାବଣୀ ୧୧.୭୭ ସେକେଣ୍ଡ ସମୟ ନେଇ ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ତେଲେଙ୍ଗାନାର ନିତ୍ୟା ଗାନ୍ଧେ ୧୧.୮୫ ସେକେଣ୍ଡ ସହିତ ରୌପ୍ୟ ଏବଂ କର୍ନାଟକର ଧନେଶ୍ୱରୀ ଏ.ଟି. ୧୧.୯୪ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ପାଇଥିଲେ। ରେସ୍‌ ‘ଏ’ରେ ସମସ୍ତ ପ୍ରତିଯୋଗୀ ୧୨ ସେକେଣ୍ଡରୁ ଉର୍ଦ୍ଧ୍ୱ ସମୟ ନେଇଥିଲେ। ଦୁଇ ରେସ୍‌ରେ ମୋଟ ୧୩ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାର ପୁରୁଷ ହାଇଜମ୍ପ ଇଭେଣ୍ଟରେ ଓଡ଼ିଶାର ସ୍ବାଧୀନ କୁମାର ମାଝି ୨.୦୬ ମିଟର ସହିତ ରୌପ୍ୟ ଓ ନିଖିଲ ଦାସ ୧.୯୫ ମିଟର କ୍ଲିୟର କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କର୍ନାଟକର ଜେସ୍‌ ସନ୍ଦେଶ ୨.୧୧ ମିଟର ସହିତ ସ୍ବର୍ଣ୍ଣ ପାଇଛନ୍ତି। ପୁରୁଷ ଟ୍ରିପଲ ଜମ୍ପରେ ଓଡ଼ିଶାର ସ୍ବାଗତ ବେହେରା ୧୩.୯୫ ମିଟର ସହିତ ରୌପ୍ୟ ପଦକ ହାସଲ କରିଛନ୍ତି। ମାତ୍ର ୨ ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପଞ୍ଜାବର ସୁଖପ୍ରୀତ ସିଂ ସ୍ବର୍ଣ୍ଣ ପଦକ ପାଇଥିଲେ।

 

 

Share