ଓଡ଼ିଶାରେ ସୁନାଖଣିର ସନ୍ଧାନ, ମନ୍ତ୍ରୀ କହିଲେ ଏସବୁ ଜିଲାରେ ନିଲାମ ପାଇଁ ଚାଲିଛି…

ଭୁବନେଶ୍ୱର,୨୨ା୮: ବିଧାନସଭା ଅଧିବେଶନରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି। ଦେବଗଡ଼ ଜିଳା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥରର ସନ୍ଧାନ ମିଳିଛି। ଜିଏସ୍‌ଆଇ ଦ୍ବାରା ତମ୍ବାପଥର ଉତ୍ତୋଳନ ବେଳେ ସୁନାର ସନ୍ଧାନ ମିଳିଛି। ଏହି ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ବିକ ଆକଳନରୁ ବି ଜଣାପଡ଼ିଛି। ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ କେନ୍ଦୁଝର ଜିଲାର ଗୋପୁର-ଗାଜିପୁର, ମାଙ୍କଡ଼ଚୁଆଁ, ସଲେଇକଣା ଓ ଡିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି। ସେହିପରି ମୟୂରଭଞ୍ଜ ଜିଲାର ଯଶୀପୁର,ସୁଲେଇପାଟ, ସୁରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣିର ଅନ୍ବେଷଣ ଚାଲିଛି। ଅନ୍ୟ ଜିଲାଗୁଡ଼ିକ ମଧ୍ୟରେ କୋରାପୁଟ, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲାର କେତେକ ସ୍ଥାନରେ ସୁନା ଖଣି ଥିବା ସନ୍ଧାନ ମିଳିଛି।

୧୯୮୧-୮୩ ଏବଂ ୧୯୮୯-୯୬ରେ ଚିହ୍ନିତ କରାଯାଇଥିବା କେନ୍ଦୁଝର ଜିଲାର ଗୋପୁର-ଗାଜିପୁର ଅଞ୍ଚଳରେ ପ୍ରାଥମିକ ସର୍ବେକ୍ଷଣରୁ ମିଳିଥିବା ସୂଚନା ଆଧାରରେ ସୁନା ଖଣିର ପୁନଃ ଅନୁସନ୍ଧାନ କାର୍ଯ୍ୟକ୍ରମ ଭାରତୀୟ ଭୂ-ବ‌ୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଏବଂ ଖଣି ଭୂତତ୍ତ୍ବ ନିର୍ଦ୍ଦେଶାଳୟର ମିଳିତ ସହେଯୋଗରେ ଜି-୨ସ୍ତରରେ ୨୦୨୧-୨୦୨୨ରୁ ଚାଲୁ ରହିଛି। ଏହି ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇ ନ ଥିବାରୁ ଏହାର ଉତ୍ତୋଳନ ନିମନ୍ତେ ସରକାରୀସ୍ତରରେ ବର୍ତ୍ତମାନ କୌଣସି ଯୋଜନା ନାହିଁ। ମାଙ୍କଡ଼ଚୁଆଁ, ସଇେଲକଣା, ଡିମିରିମୁଣ୍ଡା ଅଞ୍ଚଳରେ ଓଡ଼ିଶା ଖଣି ନିଗମ ଦ୍ବାରା ଜି-୪ ଏବଂ ଜି-୩ସ୍ତରରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ‌ବୋଲି ମନ୍ତ୍ରୀ କହିଛନ୍ତି।

Share