କେନ୍ଦୁଝର,୨୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ଗୋପପୁର, ଗଜପୁର ଓ କୁଶକଳା ଅଞ୍ଚଳ ସମେତ ପଡ଼ୋଶୀ ଦୁଇ ଜିଲାରେ ସୁନାପଥର ଖଣି ଥିବା ସୋମବାର ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମନ୍ତବ୍ୟ ଦେଇଛନ୍ତି ା ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ଏବଂ ଜିୟୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜିଏସ୍ଆଇ) ଅନୁସନ୍ଧାନରୁ ଏହା ଜଣାପଡ଼ିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କିଛି ମାସ ତଳେ ଏହି ଅଞ୍ଚଳରେ ଥିବା ଜଳଡ଼ିହା ଗ୍ରାମରେ ଜିଏସ୍ଆଇ ପକ୍ଷରୁ ଡ୍ରିଲ କରାଯାଇ ଭୂତଳୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରିବାକୁ ଲାବରାଟୋରିକୁ ନିଆଯାଇଥିଲା। ଏବେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ଜିଲାରେ ଖୁସି ଦେଖାଯାଇଛି। କିନ୍ତୁ ଜିଲାରେ ଶତାଧିକ ଖଣି ରହିଥିଲେ ହେଁ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକଙ୍କ ଅବସ୍ଥାକୁ ଦେଖିଲେ ଅନେକ ସେଭଳି କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ଚିନ୍ତା ବ୍ୟକ୍ତ କରୁଛନ୍ତି। ଅନ୍ୟପକ୍ଷେ ସୁନା ଖଣି ହେଲେ ଲୋକ ଓ ଅଞ୍ଚଳର ବିକାଶ ହେବ ବୋଲି ଭୂୟାଁ ମହାସଭାର ସଭାପତି ସଞ୍ଜୟ ଗିରି କହିଛନ୍ତି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି, ସୁନା ଖଣି ଦ୍ୱାରା ନିଶ୍ଚିତ ଭାବରେ ଜିଲା, ରାଜ୍ୟର ବିକାଶ ହେବ। କିନ୍ତୁ ସ୍ଥାନୀୟ ଲୋକ ଓ ଅଞ୍ଚଳର ବିକାଶ ସହ ସମ୍ପ୍ରତିକ ପରିସ୍ଥିତିରେ ପରିବେଶର ସୁରକ୍ଷାକୁ ଧ୍ୟାନ ଦିଆଯିବା ଜରୁରୀ ବୋଲି କହିଥିଲେ।