ଘରୁ ୫୦ ଭରି ସୁନା ଗହଣା ଚୋରି: ମିଳୁନି ସୁରାକ, ଚିନ୍ତାରେ ପୋଲିସ

ବ୍ରହ୍ମପୁର,୨୫।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବୌଦ୍ୟନାଥପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବଢିବାରେ ଲାଗିଛି। ପୋଲିସ ପାଟ୍ରୋଲିଂକୁ ଜୋରାଦାର କରୁଥିବା କହୁଥିବା ବେଳେ ଚୋରମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି। ପୂର୍ବରୁ ୪ଟି ଚୋରି ଘଟଣା ଘଟିଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହୋଇଛି। ହେଲେ ପୋଲିସ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ବିଫଳ ହୋଇଛି। ପୁଣି ଉକ୍ତ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଲାଞ୍ଜିପାଲି ଶ୍ରୀକୃଷ୍ଣନଗର ପ୍ରଥମ ଲାଇନରେ ଜ୍ୟୋତି ରାଣୀ ବେହେରା ପରିବାର ସହ ରହୁଛନ୍ତି। ଗତ ୨୩ ତାରିଖ ରାତିରେ ସେ ଘରେ ପରିବାର ଲେକାଙ୍କ ସହ ଶୋଇଥିଲେ। ୨୪ ତାରିଖ ଭୋରରୁ ସେ ଉଠି ଦେଖିଲା ବେଳେକୁ ଘର ଅଲମୀରା ଖୋଲାଥିବା ଦେଖିବାକୁ ପାଇଥିଲେ। ଆଲମିରାରୁ ୫୦ ଭରି ସୁନା ଅଳଙ୍କାର ସହ ନଗଦ ୨୦ ହଜାର ଟଙ୍କା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ଜ୍ୟୋତି ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ କରିଥିଲା। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା(ନଂ.୪୭୭/୨୩) ରୁଜୁ କରିଛି। ଆଗକୁ ପାର୍ବଣ ଆରମ୍ଭ ହେଉଥିବା ବେଳେ ଲୁଟେରା ଗ୍ୟାଙ୍ଗ ଏବେ ଗୋଟିଏ ପରେ ଗୋଟିଏ ଘରୁକୁ ଟାର୍ଗେଟ୍‌ କରୁଛନ୍ତି। ପୋଲିସ ଏହି ଦିଗରେ ଅଧିକ ଯତ୍ନବାନ ହୋଇ ରାତିକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ବିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।