Categories: ଫୁରସତ

ପିଶାଚ ଭଳି ଦେଖାଯିବାକୁ ସୁନାର ମୁନିଆ ଦାନ୍ତ

ସାକ୍ରାମେଣ୍ଟୋ: ଇଂଲିଶ ଫିଲ୍ମରେ ଦେଖିବାକୁ ମିଳୁଥିବା ପିଶାଚର କନ୍‌ସେପ୍ଟ ବହୁ ପୁରୁଣା। ଯେଉଁଥିରେ କି ପିଶାଚ ବହୁ ବର୍ଷ ବଞ୍ଚିବାକୁ ଅନ୍ୟଙ୍କୁ ମାରି ତାଙ୍କ ରକ୍ତ ପିଇଥାନ୍ତି। ଏହା କାଳ୍ପନିକ ଚରିତ୍ର ହୋଇଥିଲେ ମଧ୍ୟ ବହୁ ଲୋକ ଏହାକୁ ଅଧିକ ପସନ୍ଦ କରିଥାନ୍ତି। ସେହି ଚରିତ୍ରରୁ ପ୍ରେରିତ ହୋଇ କିଛି ଲୋକ ସେହିପରି ପୋଷାକ ପିନ୍ଧିବା ସହ ହେୟାର ଷ୍ଟାଇଲ ଏବଂ ତାଙ୍କ ପରି ହାବଭାବ ପ୍ରଦର୍ଶନ କରିଥାନ୍ତି। ହେଲେ ଏଠାରେ ଜଣେ ମହିଳା ପିଶାଚ ଭଳି ଦେଖାଯିବା ପାଇଁ ନିଜ ଦାନ୍ତକୁ ସର୍ଜରୀ ମାଧ୍ୟମରେ ମୁନିଆ କରିଥିବା ଦେଖିବାକୁ ମିଳିଛି। କାଲିଫର୍ନିଆର ବାସିନ୍ଦା ଜ୍ୟାକି ରେବିଟ୍‌ ଜଣେ ଟାଟୁ ଆର୍ଟିଷ୍ଟ। ସେ ନିଜ ଦେହରେ ମଧ୍ୟ ଅନେକ ଟାଟୁ କରିଛନ୍ତି। ହେଲେ ତାଙ୍କୁ ପିଶାଚ ବହୁତ ପସନ୍ଦ ଥିବାରୁ ସେ ତା’ ପରି ଦେଖାଯିବାକୁ ନିଜ ଦାନ୍ତକୁ ବଡ଼ କରିଛନ୍ତି। ରିପୋର୍ଟ ମୁତାବକ, ତାଙ୍କର ସେହି ୨ଟି ଦାନ୍ତ ସୁନାର ହୋଇଥିବାବେଳେ ଫଟୋରେ ଗୋଟେ ଦାନ୍ତ ସୁନା ଭଳି ଦେଖାଯାଉଛି। ଯାହା ସମସ୍ତଙ୍କୁ ବହୁତ ଅଜବ ଲାଗୁଛି। ସେ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ପିଶାଚଠାରୁ ବହୁତ ପ୍ରେରିତ ହୋଇଥିଲେ। ତେବେ ସେ ତାଙ୍କର ଏହି ସୁନା ମୁନିଆ ଦାନ୍ତ ସର୍ଜରୀ ପାଇଁ ମୋଟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏଥିରେ ଅନେକ ଲୋକ କମେଣ୍ଟ କରିଛନ୍ତି ଯେ ତାଙ୍କର ଏହି ଦାନ୍ତ କିଛି କାମକୁ ନୁହେଁ। ହେଲେ ତାଙ୍କୁ ତାଙ୍କ ଦାନ୍ତ ବହୁତ ପସନ୍ଦ ବୋଲି ସେ କହିଛନ୍ତି।

Share