ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସୁନା ଦର ନେଇ କାହାର ଆକଳନ ନ ଥିଲା। ୨୦୨୧ରେ ଏହି ମୂଲ୍ୟବାନ୍ ଧାତୁ ଦର ଆକାଶଛୁଆଁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ପ୍ରତି ୧୦ ଗ୍ରାମ ସୁନାର ଦାମ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଥିବା ବେଳେ ୨୦୨୧ରେ ଏହା ୬୩ ହଜାରକୁ ଛୁଇଁବ ବୋଲି ଆକଳନ କରାଯାଉଛି। ସୁନା ବର୍ତ୍ତମାନ ରେକର୍ଡ ଉଚ୍ଚ ସ୍ତରରୁ ପାଖାପାଖି ୬ହଜାର ଟଙ୍କା କମିଛି। ଆସନ୍ତା ବର୍ଷରୁ ଏହା ସବୁ ରେକର୍ଡ ଟପିଯିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଆମେରିକାନ ଡଲାର ଦର ହ୍ରାସ (ତଳମୁହଁା ରହିଥିବାରୁ) ପାଉଥିବାରୁ ଭାରତୀୟ ସୁନା ବଜାରରେ ଏହାର ପ୍ରଭାବ ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଭାରତୀୟ ବଜାରରେ ସୁନା ଦର ବଢ଼ିପାରେ ବୋଲି କୁହାଯାଉଛି। ୨୦୨୦ରେ କରୋନା ମହାମାରୀ ପାଇଁ ଦେଶର ଆର୍ଥିକ ମାନ୍ଦାବସ୍ଥା ଲାଗି ରହିବା କାରଣରୁ ସୁନା ଦର ବିଭିନ୍ନ ସମୟରେ ଉପର ତଳମୁହଁା ହେଉଥିଲା। ଚଳିତବର୍ଷ ଅଗଷ୍ଟରେ ପ୍ରଥମ ଥର ସୁନା ଦରରେ ବୃଦ୍ଧି ଘଟି ପ୍ରତି ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କାକୁ ଛୁଇଁଥିଲା। ଚଳିତ ବର୍ଷ ଆରମ୍ଭରୁ ସୁନା ଦର ୩୯,୧୦୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା। କରୋନା ମହାମାରୀ ପାଇଁ ସୁନା ଦାମ ୩୮,୪୦୦ ଟଙ୍କାକୁ ଖସିଆସିଥିଲା। ପରବର୍ତ୍ତୀ ସମୟରେ ଏହି ଦାମ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଥିଲା। ଏହା ସହ ସୁନା ଦାମ ଗୋଟିଏ ସମୟରେ ୫୬,୧୯୧ରେ ପହଞ୍ଚିଥିଲା। ଏ ସମ୍ପର୍କରେ ଏଚ୍ଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶେଷଜ୍ଞ ତପନ ପଟେଲ କହିଛନ୍ତି, ୨୦୨୧ରେ ସୁନା ଦର ବୃଦ୍ଧି ହୋଇପାରେ। ଭାରତରେ ଏମ୍ସିଏକ୍ସରେ ଗୋଲ୍ଡ ରେଟ୍ ୫୭ ହଜାର ଓ ୬୩ ହଜାର ପ୍ରତି ୧୦ ଗ୍ରାମ ହିସାବରେ ଦର ରହିପାରେ ବୋଲି ସେ ମତ ଦେଇଛନ୍ତି। ସେହିଭଳି ଓ୍ବାର୍ଲଡ୍ ଗୋଲ୍ଡ କାଉନସିଲ ମ୍ୟାନେଜିଂ ଡିରେକ୍ଟର ସୋମା ସୁନ୍ଦରମ ପି ଆର୍ କହିଛନ୍ତି, ଭାରତୀୟ ବଜାରରେ ଗ୍ରାହକଙ୍କ ଚାହିଦା କମିଛି। ଏହା ସହ ଆଗାମୀ ସମୟରେ ସୁନାର ଡିମାଣ୍ଡ ବଢ଼ିବାକୁ ଥିବା ବେଳେ ଦରରେ ଆଶଙ୍କା କରାଯାଉଛି ବୋଲି ସୋମା ସୁନ୍ଦରମ୍ ମତ ରଖିଛନ୍ତି।