Categories: ବାଣିଜ୍ୟ

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡ଼ିଛି। ଫଳରେ ଭାରତରେ ସୁନା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲାବେଳେ ରୁପା ମଧ୍ୟ ରେକର୍ଡ ସ୍ତରରେ କାରବାର ହେଉଛି। ସେହିଭଳି ଅନ୍ୟାନ୍ୟ ମୂଲ୍ୟବାନ୍‌ ଅଳଙ୍କାର (ହୀରା,ପ୍ଲାଟିନମ ଓ ମୂଲ୍ୟବାନ୍‌ ଧାତୁ)ର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ଘଟିଛି। ଏପରିକି ପାର୍ବଣ ପୂର୍ବରୁ ଅଳଙ୍କାର ବଜାର ମହଙ୍ଗା ହୋଇଛି ବୋଲି ସର୍ବଭାରତୀୟ ସରଫା ଆସୋସିଏଶନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ କ୍ରମାଗତ ଭାବେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ନୂଆଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୮,୪୫୦ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୧,୫୭୦ ଟଙ୍କାରେ କାରବାର ହୋଇଛି। ସେହିଭଳି ନୂଆଦିଲ୍ଲୀରେ ରୁପା ଦର କି.ଗ୍ରା. ପିଛା ୯୪, ୨୦୦ ଟଙ୍କାରେ ବିକ୍ରି ହେଉଛି। ଗତ ସପ୍ତାହ ମଧ୍ୟରେ ଉଭୟ ସୁନା ଓ ରୁପା ଦର ଯଥାକ୍ରମେ ୭୫୦୦ ଟଙ୍କା ଏବଂ ୧୨,୩୦୦ ଟଙ୍କା ବଢ଼ିଛି ବୋଲି ଆସୋସିଏଶନ ପକ୍ଷରୁ ବିସ୍ତୃତ ଭାବେ କୁହାଯାଇଛି।
ସେହିପରି ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ଗ୍ରାମ ପିଛା ୭୮,୩୨୦ ଟଙ୍କା ଥିଲାବେଳେ ୨୨କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୧,୮୦୦ ଟଙ୍କାରେ କାରବାର ହେଉଛି। ଏପରିକି ଭୁବନେଶ୍ୱରରେ ରୁପା ଦର କିଲୋଗ୍ରାମ ପିଛା ୧,୦୩,୦୦୦ଟଙ୍କାରେ ବିକ୍ରି ହେଉଛି। ଗତ ସପ୍ତାହ ମଧ୍ୟରେ ଉଭୟ ସୁନା ଓ ରୁପା ଦର ଯଥାକ୍ରମେ ୩,୫୦୦ ଟଙ୍କା ଏବଂ ୨,୩୦୦ ଟଙ୍କା ବଢ଼ିଛି ବୋଲି ବଜାରର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ପାର୍ବଣ ଋତୁ ସାଙ୍ଗକୁ ଆଗକୁ ଧନ୍‌ତେରସ ଓ ବିବାହ ଆଦି ଶୁଭକାର୍ଯ୍ୟ ରହିଥିବାରୁ ଦରବୃଦ୍ଧି କାରବାରରେ କିଛିଟା ପ୍ରଭାବ ପକାଇବା ସହିତ ବ୍ୟବସାୟ ମାନ୍ଦା ରହିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Share