ବିପଦସଙ୍କୁଳ ଅବସ୍ଥାରେ ସୁନା ନଦୀ ପୋଲ

ଯୋଡ଼ା,୪ା୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଭାଗ ଦେଇ ଯାଇଥିବା ସୁନା ନଦୀ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫ୍ଲାଏ ଓଭର ରାସ୍ତା କାମ ଚାଲିଥିବାରୁ ଉକ୍ତ ପୋଲ ନିକଟରେ ମାଟି ଖୋଳି କାର୍ଯ୍ୟ କରାଯାଉଛି। ବର୍ଷା ଯୋଗୁ ପୋଲରୁ ମାଟି ଧସିଯାଇଛି। ଫ୍ଲାଏ ଓଭର ନିର୍ମାଣ କରୁଥିବା ଠିକା ସଂସ୍ଥା ପକ୍ଷରୁ ପୋଲର ଏକ ପାର୍ଶ୍ୱରେ ବାଲି ବୋଝେଇ ବସ୍ତା ଦ୍ୱାରା ସୁରକ୍ଷିତ ରଖିବାକୁ ଉଦ୍ୟମ କରାଯାଇଛି। ମାତ୍ର ଉକ୍ତ ରାସ୍ତା ଦେଇ ପ୍ରାୟ ୩୫ରୁ ୪୫ମେଟ୍ରିକ ଟନର ଖଣିଜ ବୋଝେଇ ଭାରିଯାନ ଚଳାଚଳ କରୁଥିବାରୁ କେଉଁ ମୁହୂର୍ତ୍ତରେ ଦୁର୍ବଳ ପୋଲ ଟି ଭାଙ୍ଗି ଯିବାର ଆଶଙ୍କା ରହିଛି। ତେବେ ଏହି କାର୍ଯ୍ୟ କଲା ବେଳେ ଯାନବାହନ ଚଳାଚଳ ପାଇଁ ବିପଦପୂର୍ଣ୍ଣ ରହିଥିଲେ ହେଁ ଠିକା ସଂସ୍ଥା ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏ ସମ୍ପର୍କରେ ଫ୍ଲାଏ ଓଭର ନିର୍ମାଣ କରୁଥିବା ଠିକା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଯେହେତୁ ଫ୍ଲାଏ ଓଭର ନିର୍ମାଣ ପାଇଁ ପୋଲ କାର୍ଯ୍ୟ କରାଯାଉଛି। ପୋଲର ଏକ ପାର୍ଶ୍ୱରେ ଖୋଳାଯାଇଥିବାରୁ ମାଟି ଧସିବାର ଯଥେଷ୍ଟ ଆଶଂକା ରହିଛି। ତେଣୁ ଲୁହା ରଡ ଓ ବାଲି ବୋଝେଇ ବସ୍ତା ଦ୍ୱାରା ଭାର ଦିଆଯାଇଛି। ଟ୍ରାଫିକ ସମସ୍ୟା ପାଇଁ ବ୍ୟବସ୍ଥା କରାଯିବ। ଏଥି ସହିତ ପୋଲଟି ବିପଦପୂର୍ଣ୍ଣ ରହିଥିବାରୁ ଏବଂ ଗୋଟିଏ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଖଣିଜ ବୋଝେଇ ଭାରି ଯାନ ଗୁଡ଼ିକ ପୌରପଳିକା – କଳାପାହାଡ଼ ରାସ୍ତା ଦେଇ ଚଳାଚଳ କରିବେ। ପୁରୁଣା ପୋଲର ସୁରକ୍ଷା ବ୍ୟବସ୍ଥା କଲାପରେ ଏହି ରାସ୍ତା ଦେଇ ଭାରିଯାନ ଚଳାଚଳ କରିବାକୁ ଅନୁମତି ଦିଆଯିବ ବୋଲି ସେ କହିଥିଲେ।