ସୁଲ୍ (ଜର୍ମାନୀ), ୬ା୬ (ପି.ଟି.): ଜର୍ମାନୀର ସୁଲ୍ଠାରେ ଚାଲିଥିବା ଆଇଏସଏସ୍ଏଫ୍ ଜୁନିୟର ଶୁଟିଂ ବିଶ୍ୱକପ୍ରେ ଭାରତର ଧନୁଷ ଶ୍ରୀକାନ୍ତ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତର ଏହା ହେଉଛି ତୃତୀୟ ସ୍ବର୍ଣ୍ଣ ପଦକ। ୨୪ ଶଟ୍ ବିଶିଷ୍ଟ ଫାଇନାଲରେ ଧନୁଷ ୨୪୯.୪ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ବିଡେନର ପଣ୍ଟୁସ କାଲିନ ୧.୩ ପଏଣ୍ଟ ପଛରେ ରୌପ୍ୟ ଜିତିଛନ୍ତି। ଫ୍ରାନ୍ସର ରୋମେନ ଅଫ୍ରେର୍ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ଭାରତ ଆହୁରି ମଧ୍ୟ ସ୍କିଟ ମିକ୍ସଡ ଟିମ୍ ପ୍ରତିଯୋଗିତାରେ ଏକ ବ୍ରୋଞ୍ଜ ପଦକ ଲାଭ କରିଛି। ହାରମେହର ଲାଲି ଓ ସଞ୍ଜନା ସୁଦ୍ ଏକ ଶୁଟ୍-ଅଫ୍ରେ ଡେଭିଡ୍ ଜନସନ ଓ ଫେଲିସିଆ ରସ୍ଙ୍କୁ ହରାଇ ଦେଇଥିଲେ। ଭାରତ ବର୍ତ୍ତମାନ ପଦକ ତାଲିକାରେ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଓ ଦୁଇ ବ୍ରୋଞ୍ଜ ସହ ଆମେରିକାଠାରୁ ଆଗରେ ପ୍ରଥମ ସ୍ଥାନରେ ରହିଛି। ଆମେରିକା ଦୁଇ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଛି।