Categories: ଖେଳ

ଐଶ୍ୱରୀ ପ୍ରତାପଙ୍କୁ ସ୍ବର୍ଣ୍ଣ

କାଇରୋ, ୨୩ା୨ (ପି.ଟି): କାଇରୋରେ ଅନୁଷ୍ଠିତ ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ଭାରତର ଆଧିପତ୍ୟ ଜାରି ରହିଛି। ବୁଧବାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ଭାରତର ଐଶ୍ୱରୀ ପ୍ରତାପ ସିଂ ତୋମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅଷ୍ଟ୍ରିଆର ଆଲେକ୍‌ଜାଣ୍ଡର ସ୍ମ୍ରିଲ୍‌ଙ୍କୁ ୧୬-୬ରେ ପରାସ୍ତ କରିଛନ୍ତି ୨୨ ବର୍ଷୀୟ ତୋମାର। ଏହା ପୂର୍ବରୁ ଚାଙ୍ଗଓନ୍‌ ବିଶ୍ୱକପରେ ମଧ୍ୟ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ର଼୍ୟାଙ୍କିଙ୍ଗ ରାଉଣ୍ଡରେ ତୋମାର ଦ୍ୱିତୀୟ ସ୍ଥାନରେ ରହିଥିଲେ। ତୋମାର ୪୦୬.୪ ପଏଣ୍ଟ ସ୍କୋର କରିଥିବା ବେଳେ ଆଲେକଜାଣ୍ଡର ୪୦୭.୯ ପଏଣ୍ଟ ସ୍କୋର କରିଥିଲେ। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ୫୮୮ ପଏଣ୍ଟ ସହିତ ଐଶ୍ୱରୀ ପ୍ରଥମ ସ୍ଥାନରେ ରହିଥିଲେ। ଅନ୍ୟତମ ଭାରତୀୟ ଅଖିଳ ସିଓରାନ ୫୮୭ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ର଼୍ୟାଙ୍କିଂ ରାଉଣ୍ଡରୁ ଆଗକୁ ବଢିପାରିନଥିଲେ। ଚଳିତ ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ଏହା ଭାରତର ଷଷ୍ଠ ପଦକ। ଏହା ମଧ୍ୟରେ ୪ଟି ସ୍ବର୍ଣ୍ଣ ପଦକ ରହିଛି। ଏହା ପୂର୍ବରୁ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ବର୍ଗରେ ଆର. ନର୍ମଦା ନିତିନ ଓ ରୁଦ୍ରାଂକ୍ଷ, ୧୦ ମିଟର ଏୟାର ରାଇଫଲରେ ରୁଦ୍ରାଂକ୍ଷ ସ୍ବର୍ଣ୍ଣ ବିଜୟୀ ହୋଇଥିଲେ। ୧୦ ମିଟର ଏୟାର ପିସ୍ତଲ ବର୍ଗରେ ବରୁଣ ତୋମାର ବ୍ରୋଞ୍ଜ ବିଜୟୀ ହୋଇଥିବା ବେଳେ ରିଦିମ୍‌ ସାଙ୍ଗଓ୍ବନ ସ୍ବର୍ଣ୍ଣ ବିଜୟୀ ହୋଇଥିଲେ।

Share