ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)-ବେଙ୍ଗାଲୁରୁଠାରେ ଚାଲିଥିବା ୧୯ତମ ଜାତୀୟ ପାରା ଆଥ୍ଲେଟିକ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରି ରାଜ୍ୟକୁ ଗର୍ବିତ କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଜୟନ୍ତୀ ବେହେରା। ପ୍ରତିଯୋଗିତାର ୪୦୦ ମିଟର ଟି-୪୭ କାଟେଗୋରିରେ ଜୟନ୍ତୀ ୫୯.୪୩ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଶୁକ୍ରବାର ୧୦୦ ମିଟର ଫାଇନାଲ ଓ ୨୦୦ ମିଟର ରେସ୍ରେ ଭାଗନେବେ। ”ପାଖାପାଖି ଦୁଇବର୍ଷ ହେଲା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୌଣସି ପ୍ରତିଯୋଗିତାରେ ଭାଗ ନେବା ସମ୍ଭବ ହୋଇନି। ତେଣୁ ୪୦୦ ମିଟରରେ ସ୍ବର୍ଣ୍ଣ ପଦକ ପାଇଥିବାରୁ ବହୁତ ଖୁସି। ଆଗକୁ ଆସୁଥିବା ଟୋକିଓ ପାରାଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି“ ବୋଲି ଜୟନ୍ତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପାରା ସ୍ପୋଟର୍ସ ଆସୋସିଏଶନ ଅଫ୍ ଓଡ଼ିଶା ପକ୍ଷରୁ ଜୟନ୍ତୀଙ୍କୁ ଅଭିନନ୍ଦନ ଜଣାଯାଇଛି। ପ୍ରକାଶଯୋଗ୍ୟ ଯେ, ଜୟନ୍ତୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।