Categories: ଖେଳ

ନିଖତ୍‌, ଲଭ୍‌ଲିନାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୭ା୩(ପି.ଟି.): ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍‌ରେ ରବିବାର ଭାରତ ପାଇଁ ଗୌରବ ଆଣିଛନ୍ତି ନିଖତ ଜରିନ ଓ ଲଭଲିନା ବୋରଗୋହେନ। ପ୍ରତିଯୋଗିତାରେ ଭାରତର ଆଧିପତ୍ୟ ଅବ୍ୟାହତ ରଖି ଦେଶପାଇଁ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଜରିନ୍‌ ଓ ଲଭଲିନା। ରବିବାର ଅନୁଷ୍ଠିତ ୫୦ କେଜି ଓଜନ ବର୍ଗ ଫାଇନାଲରେ ନିଖତ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଏସିଆନ୍‌ ଚାମ୍ପିୟନ ତଥା ଭିଏତ୍‌ନାମର ନୁୟେନ୍‌ ଥି ଟାମ୍‌ଙ୍କୁ ୫-୦ରେ ପରାସ୍ତ କରଛନ୍ତି।

ଏଥିସହ ଭାରତର କିମ୍ବଦନ୍ତୀ ବକ୍ସର ଏମ୍‌ସି ମେରୀକମ୍‌ଙ୍କ ପରେ ଦ୍ୱିତୀୟ ବକ୍ସରଭାବେ ସେ ଦୁଇଥର ବିଶ୍ୱ ଚାମ୍ପିୟନଶିପ୍‌ ଜିତିବାର କୃତିତ୍ୱ ହାସଲ କରିଛନ୍ତି। ୫୦ କେଜି ବର୍ଗରେ ମେରୀ ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିଲେ। ଜରିନଙ୍କ ପରେ ଭାରତ ପାଇଁ ଖୁସି ଖବର ଆଣିଥିଲେ ଲଭଲିନା। ଅଲିମ୍ପିକ୍ସ ପଦକ ବିଜୟିନୀ ଲଭ୍‌ଲିନା ୭୫ କେଜି ବର୍ଗ ଫାଇନାଲରେ ଅଷ୍ଟ୍ରେଲିଆର କେଲଟିନ ପାର୍କରଙ୍କୁ ୫-୨ ବ୍ୟବଧାନରେ ପରାସ୍ତ କରିଥିଲେ।

ଦୁଇଥର ବ୍ରୋଞ୍ଜ ମେଡାଲିଷ୍ଟ ଲଭଲିନାଙ୍କର ଏହାହେଉଛି ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ। ଏହା ପୂର୍ବରୁ ଶନିବାର ୪୮ କେଜି ଓଜନ ବର୍ଗରେ ନିତୁ ଘଂଘାସ ଓ ୮୧ କେଜିରେ ସାଓ୍ବିଟି ବୁରା ଭାରତ ପାଇଁ ସ୍ବର୍ଣ୍ଣ ହାସଲ କରିଥିଲେ। ୨୦୦୬ରେ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ଏହାର ଶ୍ରେଷ୍ଠ ପ୍ରଦର୍ଶନ କରି ୪ ସ୍ବର୍ଣ୍ଣ ସହିତ ୮ ପଦକ ଜିତିଥିଲା। ପ୍ରକାଶ ଯୋଗ୍ୟ ଯେ, ୨୦୨୨ ଓ ୨୦୨୩ କ୍ରମାଗତ ବର୍ଷରେ ନିଖତ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଛନ୍ତି। ଭାରତର କିମ୍ବଦନ୍ତୀ ମହିଳା ବକ୍ସର ମେରୀ କମ୍‌ ୬ଥର(୨୦୦୨, ୨୦୦୫, ୨୦୦୬, ୨୦୦୮, ୨୦୧୦ ଓ ୨୦୧୮) ବିଶ୍ୱ ଚାମ୍ପିୟନ ରହିଛନ୍ତି।

 

Share