Categories: ଖେଳ

ସୁଚିତ୍ରାଙ୍କୁ ସ୍ବର୍ଣ୍ଣ, ଜୟନ୍ତୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୬।୧୨(ତପନ ସ୍ବାଇଁ):ଥାଇଲାଣ୍ଡର ନାଖୋନ ରାଚାସିମାରେ ଚାଲିଥିବା ଓ୍ବାଲର୍‌ଡ ଆବିଲିଟି ସ୍ପୋର୍ଟ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଦେଇଛନ୍ତି ଓଡ଼ିଶାର ସୁଚିତ୍ରା ପରିଡ଼ା। ସେ ମହିଳା ଜାଭେଲିନ୍‌ ଥ୍ରୋ ଏଫ୍‌୫୩/୫୪/୫୬ ବର୍ଗର ଫାଇନାଲରେ ୧୬.୮୮ ମିଟର ଥ୍ରୋ କରି ଏହି ସଫଳତା ପାଇଛନ୍ତି। ଅନ୍ୟତମ ଭାରତୀୟ ପ୍ରତିଯୋଗୀ କିର୍ତ୍ତୀକା ଜୟଚନ୍ଦ୍ରନ ରୌପ୍ୟ ଓ ଥାଇଲାଣ୍ଡର ପୁଆଙ୍ଗପେଟ ଚାଇଥୋନଗ୍ରାଟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସୁଚିତ୍ରାଙ୍କ ପୂର୍ବରୁ ମହିଳା ୧୦୦ ମିଟର ରେସ୍‌ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ ଓଡ଼ିଶାର ତାରକା ପାରା ଆଥଲେଟ୍‌ ଜୟନ୍ତୀ ବେହେରା। ସେ ୧୦୦ ମିଟର ଦୂରତାକୁ ୧୩.୧୮ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଥିଲେ। ଥାଇଲାଣ୍ଡର ସସିରାଓ୍ବନ ଇନ୍‌ଥାଚୋଟ ୧୨.୭୧ ଓ ଇଣ୍ଡୋନେସିଆର ନନ୍ଦ ମେଇ ଶୋଲିହା ୧୩.୦୧ ସେକେଣ୍ଡ ସମୟ ନେଇ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତଥିଲେ। ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ମୋଟ ୧୩ ଖେଳାଳି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଏହା ମଧ୍ୟରେ ପାରା ଆଥ୍‌ଲେଟିକ୍ସରେ ୨, ପାରା ବ୍ୟାଡ୍‌ମିଣ୍ଟନରେ ୪, ହୁଇଲ୍‌ଚେୟାର ଫେନ୍‌ସିଂରେ ୭ ପ୍ରତିଯୋଗୀ ସାମିଲ। ଏମାନଙ୍କ ମଧ୍ୟରୁ ଜୟନ୍ତୀ ମହିଳା ଟି-୪୭ ବର୍ଗରେ ବ୍ରୋଞ୍ଜ ପଦକ ଜିତି ରାଜ୍ୟ ପାଇଁ ପଦକ ଅଭିଯାନ ଆରମ୍ଭ କରିଥିଲେ। ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଭାରତ ୧ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ସହ ଟେବୁଲର ୪ର୍ଥ ସ୍ଥାନରେ ରହିଥିଲା।

Share