ନୂଆଦିଲ୍ଲୀ,୩୧।୭ : ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ଲାଗି ରହିବାରୁ ସୁନା ଦରରେ ବୃଦ୍ଧି ଘଟିଥିବା ଜଣାପଡିଛି। ଶୁକ୍ରବାର ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା ଦର ୮୬୭ ଟଙ୍କା ବଢ଼ିଛି। ସେହିଭଳି ରୁପା ଦର କିଲୋ ପିଛା ୨୮୫୪ ଟଙ୍କା ବୃଦ୍ଧି ଘଟିଥିବା ନଜରକୁ ଆସିଛି। ଏହି ସମୟରେ ଦିଲ୍ଲୀରେ ସୁନାଦର ୧୦ ଗ୍ରାମ ପିଛା ୫୪,୫୩୮ ଟଙ୍କା ରହିଥିବା ବେଳେ ପୂର୍ବ କାରବାରରେ ସୁନା ୫୩,୮୬୧ ଟଙ୍କାରେ ବନ୍ଦ ରହିଥିଲା। ରୁପା ଦର କିଲୋ ଗ୍ରାମ ପିଛା ୬୫,୯୧୦ ଟଙ୍କା ଛୁଇଁଛି। ଏହାର ପୂର୍ବ କାରବାରରେ ରୁପା ଦର ୬୩,୦୫୬ ଟଙ୍କା ରହିଥିଲା। ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୯୭୬ ଡଲାର ଥିବା ବେଳେ ରୁପା ଦର ଆଉନ୍ସ ପ୍ରତି ୨୪ ଡଲାର ରହିଛି। ଆମେରିକା ଅର୍ଥ ବ୍ୟବସ୍ଥାରେ ଆସିଥିବା ପ୍ରଭାବ ଆଧାରରେ ସୁନା ଏବଂ ରୁପା ଦରରେ ପରିବର୍ତ୍ତନ ଆସିଥିବା କୁହାଯାଉଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଅକ୍ଟୋବର ମାସ ଲାଗି ଡେଲିଭରି ହେବାକୁ ଥିବା ସୁନା ଦର ୬୪୫ ଟଙ୍କା ବା ୧.୨୨% ବଢିଛି।