ଗଲଓ୍ବାନ ଘାଟି ହିଂସା ଷଡ଼ଯନ୍ତ୍ର ରଚିଥିଲା ଚାଇନା: ଆମେରିକା ରିପୋର୍ଟ

ଓ୍ବାଶିଂଟନ,୨।୧୨: ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ଘଟିଥିବା ହିଂସା ନେଇ ଆମେରିକା ସଂସଦର ଏକ ଶୀର୍ଷ କମିଟି ପକ୍ଷରୁ ଏହାର ବାର୍ଷିକ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆମେରିକାର ଚାଇନା ଆର୍ଥିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ(ୟୁଏସ୍‌ସିସି) ପକ୍ଷରୁ ଏହି ରିପୋର୍ଟ ଦାଖଲ କରାଯାଇଛି। ଚାଇନାର କମ୍ୟୁନିଷ୍ଟ ସରକାର ଜାଣିଶୁଣି ଏହି ଷଡ଼ଯନ୍ତ୍ର ରଚିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତ ବିରୋଧରେ ଜୋର୍‌ ଜବରଦସ୍ତ ସାମରିକ ଅଭିଯାନ ଆରମ୍ଭ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ରାତି ଅନ୍ଧାରରେ ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିବା ନେଇ ବହୁ ପୂର୍ବରୁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯାଇଥିଲା। ଚାଇନା ପ୍ରତିରକ୍ଷାମନ୍ତ୍ରୀ ଓ୍ବେଇ ଫେଙ୍ଗହି ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିବା ଲାଗି ଚାଇନା ସୈନ୍ୟ ବାହିନୀଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ ଭାରତକୁ ଚେତାବନୀ ଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share