Categories: ଜାତୀୟ

ୟୁସିସି ଲାଗୁ ନେଇ ଜିଓଏମ ଗଠନ କଲେ କେନ୍ଦ୍ର ସରକାର, ପ୍ରଥମ ବୈଠକ ଶେଷ…

ନୂଆଦିଲ୍ଲୀ,୬।୭ : ଗୋଟିଏ ଦେଶ-ଏକ ଆଇନ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ ହେବା ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି। ଏହି ପ୍ରସଙ୍ଗରେ ସରକାର ମନ୍ତ୍ରୀଙ୍କର ଏକ ଦଳ (ଜିଓଏମ) ଗଠନ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଅନୌପଚାରିକ ମନ୍ତ୍ରୀ ଦଳରେ ବହୁ ଭେଟେରାନ ମନ୍ତ୍ରୀ ଅଛନ୍ତି। ଏଥିରେ ପୂର୍ବତନ ଆଇନ ମନ୍ତ୍ରୀ କିରେନ ରିଜିଜୁ, ସ୍ମୃତି ଇରାନୀ, ଜି କିଶାନ ରେଡ୍ଡୀ ଏବଂ ଅର୍ଜୁନ ରାମ ମେଘୱାଲ ସାମିଲ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ, ଜିଓଏମର କମାଣ୍ଡ କିରେନ ରିଜିଜୁଙ୍କୁ ହସ୍ତାନ୍ତର କରାଯାଇଛି। ୟୁନିଫର୍ମ ସିଭିଲ କୋଡ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଏହି ମନ୍ତ୍ରୀମାନେ ବିଚାରବିମର୍ଶ କରିବେ। ବୁଧବାର କିରେନ ରିଜିଜୁଙ୍କ ନେତୃତ୍ୱରେ ଏହି ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁଯାୟୀ, ବିଭିନ୍ନ ମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର କରିବେ। ଆଦିବାସୀମାନଙ୍କ ସହ ଜଡିତ ପ୍ରସଙ୍ଗରେ କିରେନ ରିଜିଜୁ, ମହିଳା ଅଧିକାର ସହ ଜଡିତ ପ୍ରସଙ୍ଗରେ ସ୍ମୃତି ଇରାନୀ, ଉତ୍ତର-ପୂର୍ବ ରାଜ୍ୟ ସହ ଜଡିତ ପ୍ରସଙ୍ଗରେ ଜି କିଶନ ରେଡ୍ଡୀ ଏବଂ ଆଇନ କ୍ଷେତ୍ରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନିଜନିଜର ମତ ରଖିବେ।

ଏହି ପ୍ରସଙ୍ଗରେ ଉତ୍ତର-ପୂର୍ବର କିଛି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି। ୟୁନିଫର୍ମ ସିଭିଲ କୋଡରେ ଆଗକୁ ବଢ଼ିବା ଦିଗରେ କେନ୍ଦ୍ର ସରକାରଙ୍କ ଏହା ହେଉଛି ପ୍ରଥମ ପ୍ରମୁଖ ପଦକ୍ଷେପ।

Share