ସ୍ତ୍ରୀଙ୍କ ମୃତ୍ୟୁ ପରେ ବିଗିଡ଼ି ଯାଇଥିଲା ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ସମୟରେ ଚାଲିଗଲା ଏହି ନେତାଙ୍କ ଜୀବନ

ଭଦ୍ରକ,୨୬ା୯(ସନାତନ ରାଉତ): ଭଦ୍ରକ ଜିଲାର ବରିଷ୍ଠ ନେତା ଲକ୍ଷ୍ମୀ ମହାପାତ୍ର(୭୬)ଙ୍କ ବୁଧବାର ରାତିରେ ପରଲୋକ ଘଟିଛି। ଅସୁସ୍ଥ ଥିବାରୁ ୫ ଦିନ ତଳେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ସ୍ବାସ୍ଥ୍ୟାବସ୍ଥା ଅବନତି ହେବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ରାତି ପ୍ରାୟ ୧୦ଟା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବିୟୋଗରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଭଦ୍ରକ ଏମ୍‌ପି ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ଅଜୟ ନାୟକ, ଡା ପ୍ରଦୀପ ନାୟକ, ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ପୂର୍ବତନ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଯୁବ ନେତା ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଶେଷ ଦର୍ଶନ କରିଛନ୍ତି l ସ୍ବର୍ଗତ ମହାପାତ୍ର ଅଣ କଂଗ୍ରେସରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ। ଭଦ୍ରକ କଲେଜ ଛାତ୍ର ସଂସଦ ସଭାପତି, ବାଣୀବିହାର ଛାତ୍ର ସଂସଦ ସାଧାରଣ ସମ୍ପାଦକ ଥିଲେ। ଏବିଭିପିକୁ ମଜଭୁତ କରିବାରେ ତାଙ୍କର ବହୁ ଅବଦାନ ଥିଲା। ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କୁ ଭଦ୍ରକରେ କଳାପତାକା ଦେଖାଇ ଚର୍ଚ୍ଚାରେ ରହିଥିଲେ। ଜଣେ ସ୍ପଷ୍ଟବାଦୀ, ନିର୍ଭୀକଓ ସାହସୀ ନେତା ଭାବେ ସେ ପରିଚିତ ଥିଲେ। ଗତ ୫ ତାରିଖରେ ତାଙ୍କ ସ୍ତ୍ରୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସବିତା ମହାନ୍ତିଙ୍କ ପରଲୋକ ହୋଇଥିଲା। ପରେ ସ୍ବର୍ଗତ ମହାପାତ୍ରଙ୍କ ସ୍ବାସ୍ଥ୍ୟ ଅଧିକ ବିଗିଡ଼ି ଯାଇଥିଲା।

Share