Categories: ଖେଳ

ଗୋଞ୍ଜେଲୋ ପିଲାଟ୍‌ଙ୍କ ବିରଳ ରେକର୍ଡ

ଭୁବନେଶ୍ୱର,୨୮।୧(ସ୍ପୋଟର୍‌ସ ବ୍ୟୁରୋ): ଜର୍ମାନୀ ଦଳର ପେନାଲ୍ଟି କର୍ନର ସ୍ପେଶାଲିଷ୍ଟ ଗୋଞ୍ଜେଲୋ ପିଲାଟ୍‌ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ପିଲାଟ୍‌ଙ୍କ ହାଟ୍ରିକ ବଳରେ ଜର୍ମାନୀ ଫାଇନାଲରେ ପ୍ରବେଶ କରିଛି। ଦୁଇଟି ଭିନ୍ନ ଦେଶ ପକ୍ଷରୁ ବିଶ୍ୱକପ୍‌ ସେମିଫାଇନାଲ ଖେଳିବାର ରେକର୍ଡ ନିଜ ନାମରେ କରିଛନ୍ତି ପିଲାଟ୍‌। ୨୦୧୪ରେ ଆର୍ଜେଣ୍ଟିନା ପାଇଁ ସେମିଫାଇନାଲ ଖେଳିଥିବା ପିଲାଟ୍‌ ଉକ୍ତ ସଂସ୍କରଣରେ ୧୦ ଗୋଲ ସ୍କୋର କରିବା ସହ ଟୁର୍ନାମେଣ୍ଟର ହାଇଏଷ୍ଟ ସ୍କୋରର ରହିଥିଲେ। ପିଲାଟ୍‌ଙ୍କ ଗୋଲ ବଳରେ ଆର୍ଜେଣ୍ଟିନା ଏହି ସଂସ୍କରଣରେ ବ୍ରୋଞ୍ଜ୍‌ ପଦକ ବିଜୟୀ ହୋଇଥିଲା। ଏହାପରେ ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ପିଲାଟ୍‌ଙ୍କ ଦବ୍‌ଦବା ଜାରି ରହିଥିଲା। ଏହି ଡ୍ରାଗ୍‌ ଫ୍ଲିକର ଜଣଙ୍କ ରିଓରେ ସର୍ବାଧିକ ୧୧ ଗୋଲ୍‌ ସ୍କୋର କରିବା ସହିତ ଆର୍ଜେଣ୍ଟିନାକୁ ଚାମ୍ପିୟନ୍‌ କରିଥିଲେ। ତେବେ ୨୦୧୮ ବିଶ୍ୱକପ୍‌ ପରେ ଟିମ୍‌ ମ୍ୟାନେଜମେଣ୍ଟ ସହ ବିବାଦ ପରେ ଜାତୀୟ ଦଳ ଛାଡ଼ିବାକୁ ସେ ନିଷ୍ପତ୍ତି ନେଇଥିଲେ। ୨୦୧୯ରେ ସେ ଆର୍ଜେଣ୍ଟିନା ଦଳ ଛାଡ଼ିଥିବା ବେଳେ ୨୦୨୧ରେ ଗ୍ରହଣ କରିଥିଲେ ଜର୍ମାନୀ ନାଗରିକତ୍ୱ। ୨୦୨୨ରେ ପ୍ରଥମଥର ପାଇଁ ଜର୍ମାନୀ ଜାତୀୟ ଦଳ ପକ୍ଷରୁ ଖେଳିଥିଲେ ପିଲାଟ୍‌। ଚଳିତ ବିଶ୍ୱକପ୍‌ରେ ପିଲାଟ୍‌ ଜର୍ମାନୀ ପାଇଁ ୬ ମ୍ୟାଚ୍‌ ଖେଳି ୫ ଗୋଲ ସ୍କୋର କରିଛନ୍ତି। ଫ୍ରାନ୍ସ ବିପକ୍ଷ କ୍ରସ୍‌ଓଭର ମ୍ୟାଚ୍‌ରେ ପେନାଲ୍ଟି କର୍ନରରୁ ଗୋଟିଏ ଗୋଲ ଦେଇଥିଲେ। ୨୦୧୧ରୁ ୨୦୧୯ ଯାଏ ଆର୍ଜେଣ୍ଟିନା ପାଇଁ ଖେଳିଥିବା ପିଲାଟ୍‌ ୧୫୩ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ୧୭୬ ଗୋଲ ସ୍କୋର କରିଥିଲେ।

Share