Advertisement

ଉତ୍ତମ ଫସଲ ନେଇ ବାଲି , ଗାଙ୍ଗମାଁ ପର୍ବ

ପଟ୍ଟାଙ୍ଗି,୪।୧ (ଡି.ଏନ.ଏ.): ପ୍ରତିବର୍ଷ ଯେପରି ନିଜ ଚାଷଜମି ନିଜ ଜମିରେ ଉତ୍ତମ ଚାଷ ସହ ଅଧିକ ଫସଲ ଉତ୍ପାଦନ ପାଇଁ ମଙ୍ଗଳବାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରସ୍ଥିତ ବଡଗାଁରେ ଅଞ୍ଚଳବାସୀ ପାଳନ କରିଛନ୍ତି ବାଲି , ଗାଙ୍ଗମାଁ ପର୍ବ। ପ୍ରତି ୩ବର୍ଷକୁ ଥରେ ହେଉଥିବା ଏହି ଯାତ୍ରା ପୂର୍ବରୁ ଆଖପାଖ ୧୦ଟି ଗ୍ରାମର ବଡ଼ଗାଁ, ଶିଶାଗୁଡା, କରଞ୍ଜଗୁଡା, ଦାନ୍ଦୁଗୁଡା, ଡୁମୁରିଗୁଡା, ତଳ କାଟ୍ରାଗୁଡା, ବଦଲିଗୁଡା, ଲେଞ୍ଜିଗୁଡା, ଉପର କାଟ୍ରାଗୁଡା ଏବଂ ଗେଟସାହି ଗ୍ରାମର ମୁଖିଆମାନେ ଏକାଠି ହୋଇ ଏକ ତିଥି ବାହାର କରି ଯାତ୍ରା ଆୟୋଜନ କରିଥାନ୍ତି। ଯାତ୍ରାର ମୁଖ୍ୟ ବାଲି ପୂଜାରୀଙ୍କ ପ୍ରସ୍ତାବ କ୍ରମେ ଏହି ଯାତ୍ରା ହେଇଥାଏ। ଡିସେମ୍ବର ୫ରେ ପ୍ରଥମେ ବାଲିଯାତ୍ରା ହୋଇଥିଲା। ଉକ୍ତ ଯାତ୍ରା ୯ ଦିନ ପରେ ବୁଡିଆ ଗାଙ୍ଗମାଁ ଯାତ୍ରା ହୋଇଥିଲା। ଏବେ ୯ ଦିନ ଧରି ବଡ଼ଗାଁରେ ଯାତ୍ରା ଆରମ୍ଭ ହୋଇଛି। ଚାଷୀମାନେ ନିଜ ଜମିରୁ ଭଲ ଫସଲ ଆମଦାନୀ ପାଇଁ ଘରେ ସଂଗ୍ରହ କରି ରଖିଥିବା ସମସ୍ତ ଫସଲର ବିହନ ଯାତ୍ରାରେ ପୂଜା ପାଉଥିବା ଠାକୁରାଣୀଙ୍କ ନିକଟରେ ସମର୍ପଣ କରିଥାନ୍ତି। ୯ ଦିନ ଧରି ପୂଜାପାଉଥିବା ବୁଡିଆ ଗାଙ୍ଗମାଁ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାୟୀ ମନ୍ଦିରକୁ ଫେରିଥାନ୍ତି। ଠାକୁରାଣୀ ସ୍ଥାୟୀ ମନ୍ଦିରକୁ ଫେରିବା ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଗଛର କାଠରେ ଏକ ରଥ ହୋଇଥାଏ। ସେହି ରଥ ଉପରେ ପୂଜକ ଚାଷୀଙ୍କ ବିହନକୁ ପୂଜାକରି ରଥ ତଳକୁ ବିଞ୍ଚି ପକାଇଥାନ୍ତି। ଏହି ଯାତ୍ରା ସରିବା ପରେ ୧ ମାସ ପରେ ନନ୍ଦିଯାତ୍ରା ହୋଇଥାଏ। କମିଟି ସଦସ୍ୟ ପୂର୍ବତନ ସରପଞ୍ଚ ଭଗବାନ ଖରା, କୃଷ୍ଣଚନ୍ଦ୍ର ଜାନି, ଅର୍ଜୁନ ବୁରୁଡି, ଜଗଦିଶ ବୁରୁନ୍ଦା, ସନ୍ତୋଷ ବାଡତିଆ, ଜୟରାମ ଗୁଣ୍ଠା, ନଟ ନାରାଜି ପ୍ରମୁଖ ଯାତ୍ରା ପରିଚାଳନା କରିଥିଲେ। ସ୍ଥାନୀୟ ବିଧାୟକ ପିତମ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗୀ, ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ, ଜିଲା ପରିଷଦ ସଭ୍ୟ ଲଇଚନ ଗେମେଲ, କଂଗ୍ରେସ ସେବା ଦଳର ଜିଲା ସହ ସଙ୍ଗଠକ ଗୋବିନ୍ଦ ଖରା ପ୍ରମୁଖ ଅତିଥିଭାବେ ଯୋଗଦେଇ ଠାକୁରାଣୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share