ଯୁବଶକ୍ତିଙ୍କୁ ସଶକ୍ତ କରିବା ପାଇଁ ଭଲ ପଦକ୍ଷେପ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬।୭(ଅନିଲ ଦାସ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନୂଆଦିଲ୍ଲୀଠାରେ ବିଶ୍ୱ ଯୁବଦକ୍ଷତା ଦିବସ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ଏକ ମାଗଣା ଅନ୍‌ଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଏଆଇ ଫର୍‌ ଇଣ୍ଡିଆ ୨.୦’ର ଶୁଭାରମ୍ଭ କରିଛନ୍ତି । ସେ କହିଛନ୍ତି, ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, ସ୍ଥାନୀୟ ଭାଷାରେ ଅନ୍‌ଲାଇନ ଟେକ୍ନୋଲୋଜି ଶିକ୍ଷା ଦେଉଥିବା ବୈଷୟିକ ପ୍ଲାଟଫର୍ମ ଗୁଭି, ରାଷ୍ଟ୍ରୀୟ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଭିଟି) ଏବଂ ଆଇଆଇଟି ମାଡ୍ରାସର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ।
ଏହି ସ୍ବୀକୃତିପ୍ରାପ୍ତ ଅନ୍‌ଲାଇନ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ଦକ୍ଷତା କ୍ଷେତ୍ରରେ ସଶକ୍ତ କରିବ ।
ଗୁଭି ଏହି କାର୍ଯ୍ୟକ୍ରମକୁ ୯ଟି ଭାରତୀୟ ଭାଷାରେ ପ୍ରସ୍ତୁତ କରିଛି । ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ଭାଷା ପ୍ରତିବନ୍ଧକକୁ ଦୂର କରିବା ଏବଂ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଥିବା ଆମ ଯୁବଶକ୍ତିଙ୍କୁ ଭବିଷ୍ୟତରେ ସଶକ୍ତ କରିବା ଦିଗରେ ଏହା ଏକ ଭଲ ପଦକ୍ଷେପ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗୁଭିକୁ ସମସ୍ତ ଭାରତୀୟ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାପାନ, ଜର୍ମାନୀ ଭଳି ପ୍ରଗତିଶୀଳ ରାଷ୍ଟ୍ର ଇଂଲିଶ ଭାଷାରେ ସେତେ ସଶକ୍ତ ନୁହନ୍ତି । କିନ୍ତୁ ସେମାନେ ଏଆଇ କ୍ଷେତ୍ରରେ ବହୁତ ସୁଦୃଢ଼। ତେଣୁ ଇଂଲିଶ ନୁହେଁ ବରଂ ନିଜ ଭାଷାରେ ହିଁ ସବୁ ଶିକ୍ଷା ଓ ଟେକ୍ନୋଲୋଜି କ୍ଷେତ୍ରରେ ପ୍ରାଥମିକତା ଦେବା ଦରକାର । ଏଆଇ ବର୍ତ୍ତମାନ ସବୁ ସ୍ଥାନରେ। ଆଜି ଭାରତର ୟୁପିଆଇ ପେମେଣ୍ଟ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ହାସଲ କରିଛି । ଦେଶରେ ଜିଏସ୍‌ଟି ଅଭିବୃଦ୍ଧି ଘଟୁଛି ।
ଏଥିଯୋଗୁ ଦେଶ ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share