ବଇଣ୍ଡା, ୧୨ା୭(ଡି.ଏନ.ଏ.) ସୌଭାଗ୍ୟ ଯୋଜନାରେ ସାମିଲ ହୋଇ ମଧ୍ୟ ବିଜୁଳି ଆଲୁଅରୁ ବଞ୍ଚିତ ୩୦ ପରିବାର। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର ବି ଟଣାଯାଇଛି। ହେଲେ ଖୁଣ୍ଟରେ ହିଁ ଝୁଲି ରହିଛି ଯୋଜନା ସହ ହିତାଧିକାରୀଙ୍କ ଭାଗ୍ୟ। ଫଳରେ ୩ ବର୍ଷ ହେଲା ସେହି ତାର, ଖୁଣ୍ଟ ଦେଖି ବିଜୁଳି ବଦଳରେ ଡିବିରିରେ କାମ ଚଳାଉଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକ ବିଲେଇନାଳି ପଞ୍ଚାୟତ ଜାମୁଖୋଳ ଗ୍ରାମର ସମ୍ପୃକ୍ତ ପରିବାର। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ ସତ୍ତ୍ୱେ କେହି ଗୁରୁତ୍ୱ ଦେଇ ନ ଥିବା ସେମାନେ ଅଭିଯୋଗ ଆଣିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।
ଲକ୍ଷ୍ମୀ ପ୍ରଧାନ, ଜିରା ପ୍ରଧାନ, ସୁମି ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ୨୦୧୭ରୁ ସମସ୍ତ ପରିବାରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ଯୋଗାଯିବା ପାଇଁ ଖୁଣ୍ଟ ପୋତାଯାଇ ଟ୍ରାନ୍ସଫର୍ମର ବସିଛି। ଏଥିସହ ଘରକୁ ଖୁଣ୍ଟରୁ ତାର ଟଣାଯାଇ ମିଟର ଲଗାଯାଇଛି। ବିଦ୍ୟୁତ୍ ସଂଯୋଗ ପାଇଁ ସମ୍ପୃକ୍ତ ଠିକା ସଂସ୍ଥା ୩ ଶହ ଟଙ୍କା ଲେଖାଏ ନେଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରି ନ ଥିବାରୁ ଖୁଣ୍ଟ, ତାର ଦେଖି ଦିନ କଟୁଛି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟା ହେବା ମାତ୍ରେ ଲୋକେ କବାଟ ଦେଇ ଘରେ ରହୁଛନ୍ତି। ପିଲାମାନେ ପାଠ ପଢିବାରେ ସମସ୍ୟା ଉପୁଜିବା ସହ କୌଣସି ବୈଦ୍ୟୁତିକ ଉପକରଣ ବ୍ୟବହାର କରିହେଉନାହିଁ। ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ତୁରନ୍ତ ବିଦ୍ୟୁତ୍ ସଂଯୋଗ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ନେଇ ସରପଞ୍ଚ ନବ କିଶୋର ସାହୁ କୁହନ୍ତି, ବିଦ୍ୟୁତ୍ ସଂଯୋଗ ପାଇଁ ଠିକା ସଂସ୍ଥା ଓ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ମାଝି କୁହନ୍ତି, ଉକ୍ତ ଗ୍ରାମରେ ଠିକାସଂସ୍ଥା ପକ୍ଷରୁ ୯୦% କାମ ସରିଛି। ତୁରନ୍ତ ବାକି କାମ କରାଯିବା ସହ ସେବା ଯୋଗାଇ ଦିଆଯିବ।